ଗୀତିକାର ପ୍ରମୋଦ ପରିଡାଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ । କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ବନ୍ଧୁକ ଦେଖାଇ ଅପହରଣ ଅଭିଯୋଗ ।

923

କନକ ବ୍ୟୁରୋ: କଟକ ବାଦାମବାଡି ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା । ଗୀତିକାର ପ୍ରମୋଦ କୁମାର ପରିଡ଼ାଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ ଅଭିଯୋଗ । କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଓ ସହଯୋଗୀମାନେ ପ୍ରମୋଦଙ୍କୁ ଘର ଉଠାଇ ନେଇ ମାଡ଼ ମାରିଥିବା ସେ ବାଦାମବାଡି ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ପ୍ରମୋଦ ବାଦାମବାଡି ପାଲାମଣ୍ଡପରେ ଭଡ଼ା ଘରେ ରହୁଛନ୍ତି । ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନରେ ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ୍ ପପୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦଙ୍କ ଘରେ ପହଞ୍ଚିଥିଲେ । ପ୍ରମୋଦ କିଛି ବୁଝିବା ପୂର୍ବରୁ ପପୁ ବନ୍ଧୁକ ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ହ୍ୟୁମାନ ସାଗରଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖୁଛୁ କହି ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ସ୍କୁଟିରେ ବସାଇ ସନସାଇନ୍ ଫିଲ୍ଡ ପାଖରେ ଥିବା ଏକ ଘରକୁ ନେଇ ଯାଇଥିଲେ । ସେଠାରେ ଥିବା ୮ରୁ ୧୦ ଜଣ ଯୁବକ ତାଙ୍କ ହାତଗୋଡ ବାନ୍ଧି ମାଡ଼ ମାରିଥିଲେ । ପପୁ ଏକ ଲୁହା ରଡରେ ତାଙ୍କ ମୁଣ୍ଡକୁ ପିଟିଥିଲା । ଫଳରେ ତାଙ୍କ ଚେତା ପଳାଇଯାଇଥିଲା । ଚେତା ଫେରିବା ବେଳକୁ ସେ ନିଜକୁ ବିବସ୍ତ୍ର ଅବସ୍ଥାରେ ପାଇଥିଲେ । ତାଙ୍କ ବେକରୁ ସୁନା ଚେନ୍, ହାତରୁ ଘଣ୍ଟା ଗାଏବ ହୋଇଯାଇଥିଲା । ସେଠାରେ ଥିବା ଯୁବକମାନେ ତାଙ୍କ ଭିଡିଓ କରିଥିଲେ । ହ୍ୟୁମାନ ସାଗରଙ୍କ ବିରୋଧରେ ଆଉ ଲେଖିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ପ୍ରମୋଦ ଅଭିଯୋଗ କରିଛନ୍ତି ।