କନକ ବ୍ୟୁରୋ :ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇବା ମହଙ୍ଗା ପଡ଼ିଛି। ଗୋଟିଏ ଦିନରେ ରାଜଧାନୀର ବିଭିନ୍ନ ପ୍ରମୁଖ ଛକରେ ଏଭଳି ରଙ୍ଗ୍‌ରୁଟ୍‌ରେ ବାଇକ୍‌ ଚଳାଇ ୮୦ ଜଣ ଟ୍ରାଫିକ୍‌ ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ସେମାନଙ୍କଠାରୁ କମିସନରେଟ୍‌ ପୁଲିସ ଜରିମାନା ଆଦାୟ କରିନାହିଁ। ସିଧାସଳଖ ମାଲିକଙ୍କ ନାଁରେ ମାମଲା ରୁଜୁ କରି ବାଇକ୍‌ଗୁଡ଼ିକୁ ଜବତ କରିବା ସହ କାଗଜପତ୍ର କୋର୍ଟ ପଠାଇ ଦେଇଛି। ମାଲିକମାନେ କୋର୍ଟରେ ହାଜର ହୋଇ ନିଜ ବାଇକ୍‌କୁ ମୁକୁଳାଇବା ସହିତ ସେଠାରେ ଜରିମାନା ପ୍ରଦାନ କରିବେ। ଆବଶ୍ୟକ ହେଲେ, ବାଇକ୍‌ ଚାଳକ ଜେଲ୍‌ ମଧ୍ୟ ଯାଇ ପାରନ୍ତି। କମିସନ‌ରେଟ୍‌ ପୁଲିସ ରଙ୍ଗରୁଟ୍‌ରେ ବାଇକ୍‌ ଚଳାଉଥିବା ଚାଳକମାନଙ୍କ ଉପରେ ଏଭଳି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜଧାନୀରେ ଚର୍ଚା ଆରମ୍ଭ ହୋଇଯାଇଛି। ବେପରୁଆ ବାଇକ୍‌ ଚାଳକମାନେ ମଧ୍ୟ ଛାନିଆ ହୋଇଯାଇଛନ୍ତି। ଏଭଳି ଚଢ଼ଉ ଆହୁରି ଏକ ସପ୍ତାହ ହେବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି।

Advertisment

publive-imageରାଜଧାନୀରେ ରଙ୍ଗରୁଟ୍‌ରେ ଗାଡ଼ି ଚଳାଇବା ଘଟଣାକୁ ନେଇ ଟ୍ରାଫିକ୍‌ ପୁଲିସ ଚିନ୍ତିତ ଥିଲା। କାରଣ ଏହି ରଙ୍ଗରୁଟ୍‌ରେ ଗାଡ଼ି ଚଳାଇବା କାରଣରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲା। ଅନେକ ଏଥିରେ ମୃତାହତ ହେଉଥିଲେ। ଅଯଥାରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହେଉଥିଲା। ବିଶେଷକରି ଜୟଦେବବିହାର ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ବିଭିନ୍ନ କଟ୍ ନିକଟରେ ବାଇକ୍‌ ଚାଳକମାନେ ନିୟମ ଉଲ୍ଲଙ୍ଘନ କରୁଥିଲେ। ଏହା ଛଡ଼ା ରାଜଧାନୀର ଅନ୍ୟ କେତେକ ଛକରେ ଏହା ନିତିଦିନିଆ ଘଟଣା ହୋଇଥିଲା।

ରଙ୍ଗରୁଟ୍‌ରେ ବାଇକ୍‌ ଚାଳନା ବନ୍ଦ କରିବା ନେଇ ଗତ କିଛି ଦିନ ତଳେ କମିସନରେଟ ପୁଲିସର ଏକ ବୈଠକ ବସିଥିଲା। ସେଥିରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକାନାଥ, ଏଡିସିପି କିଶୋର ପାଣିଗ୍ରାହୀ ଓ ଏସିପି ସ୍ବସ୍ତିକ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଏଭଳି ଚଢ଼ଉ ଆରମ୍ଭ ହୋଇଛି। ଟ୍ରାଫିକ୍ ପୁଲିସର ୯ଟି ଟିମ୍‌ ଡିସିପି ସାଗରିକା ନାଥଙ୍କ ନେତୃତ୍ବରେ ପ୍ରସ୍ତୁତ ହୋଇଥିଲେ। ଏହି ୯ଟି ଟିମ୍‌ ରାଜଧାନୀର ଡମଣା ଛକ, କିଟ୍‌ର କୋଏଲ କ୍ୟାମ୍ପସ, ତନିସ୍କ କଟ୍, ଜାଗମରା, ଏସ୍‌ପ୍ଲାନେଡ୍‌, ରାଜମହଲ ଛକର ଦୁଇପାର୍ଶ୍ବ, ରାଜଭବନ ପେଟ୍ରୋଲ ପମ୍ପ ନିକଟ ଛକ, ରୁପାଲି ଓ ଗଙ୍ଗନଗର ଛକରେ ଏଭଳି ଚେକିଂ କରାଯାଇଥିଲା। ଚେକିଂ ବେଳେ ଅଧିକାଂଶ ଯୁବ ଚାଳକମାନେ ପୁଲିସ ହାବୁଡ଼ରେ ପଡ଼ିଥିଲେ।

ଯେଉଁମାନଙ୍କଠାରୁ ବାଇକ୍‌ ଜବତ ହୋଇଛି, ସେମାନଙ୍କୁ ଏକ ସିଜର ଲିଷ୍ଟ ଧରାଇ ଦିଆଯାଇଛି। ଏହି ସିଜର ଲିଷ୍ଟକୁ ପିଆର ଏମ୍‌ଭି ଫର୍ମ ସହିତ ସଂଯୋଗ କରି ପୁଲିସ କୋର୍ଟକୁ ପଠାଇ ଦେବ। ପରବର୍ତୀ ସମୟରେ ବାଇକ୍‌ ଚାଳକମାନଙ୍କ ନିକଟକୁ କୋର୍ଟରୁ ସମନ ଆସିବ। ସେମାନେ କୋର୍ଟରେ ହାଜର ହୋଇ ଜରିମାନା ଦେବେ କିମ୍ବା ଜେଲ ଯିବେ, ତାହା ବିଚାରପତି ବିଚାର କରିବେ। ବାଇକ୍‌ ମାଲିକମାନେ କୋର୍ଟ କପି ଟ୍ରାଫିକ୍‌ ଥାନାରେ ଦେଖାଇବା ପରେ ବାଇକ୍‌ ନେଇ ପାରିବେ।

ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଜି ଛକରେ ଥିବା ଟ୍ରାଫିକ ଥାନାରେ ଗହଳି ଲାଗି ରହିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ହୋହଲ୍ଲା କରିଥିଲେ। ପୁଲିସ ଜବରଦସ୍ତି ବାଇକ୍‌ ଉଠାଇ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି। ପୁଲିସ ଜରିମାନା ଆଦାୟ ନ କରି କାହିଁକି ବାଇକ୍‌ ସିଜ୍‌ କଲା ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। ଏହା ପୁଲିସର ଗୁଣ୍ଡାଗିରି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ରଙ୍ଗରୁଟ୍‌ରେ କାର ଓ ବାଇକ୍‌ ଚାଳନା ନେଇ କମିସନରେଟ୍‌ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ କଟକ ଓ ଭୁବନେଶ୍ବରରେ ୨୪୨ଟି ରଙ୍ଗରୁଟ୍‌ ସାଇଟ୍‌ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୨ଟି ଅତ୍ୟନ୍ତ ସମ୍ବେଦନଶୀଳ ବା ସ୍ପର୍ଶକାତର। ଯେଉଁଠାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟିଥାଏ। ଏହି ସବୁ ଛକରେ ସ୍ପାଇକ୍‌ ବ୍ୟାରିୟର ଲଗାଯିବାକୁ ଯୋଜନା ହୋଇଛି। ପ୍ରଥମ ପଦକ୍ଷେପ ଭାବେ ରସୁଲଗଡ଼ ଛକ ନିକଟ ଏସପ୍ଲାନେଡ୍‌ ଛକରେ ଏହି ସ୍ପାଇକ୍‌ ବ୍ୟାରିୟର ଲାଗିବ ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି।