କରୋନା କଟକଣା କୋହଳ ହେବା ପରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଆସୁଛନ୍ତି ସ୍କୁଲ । ଗୃହରେ ଉତ୍ତର ରଖିଲେ ଗଣଶିକ୍ଷାମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆସୁଛନ୍ତି ସ୍କୁଲ ।

341

କନକ ବ୍ୟୁରୋ : କରୋନା ସଂକ୍ରମଣ କମିବା ପରେ ନବମ,ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଥିବା ବେଳେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଆସୁଛନ୍ତି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଲକଡାଉନ କୋହଳ ହେବା ପରେ ସ୍କୁଲରେ ଛାତ୍ରଛାତ୍ରୀଙ୍କର କେତେ ଉପସ୍ଥାନ ରହୁଛି? ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏହି ପ୍ରଶ୍ନର ଉତ୍ତର ଜିଲ୍ଲାୱାରୀ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ଗୃହରେ ଉତ୍ତର ଦେଇ ସମୀର କହିଛନ୍ତି, ଲକଡାଉନ-୨ କୋହଳ ହେବା ପରେ ନବମ, ଦଶବ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହୋଇଛି । ଆଉ ଏହି ସମୟରେ ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦% ଉପରେ ରହିଛି । ଅଥାର୍ତ ଅଧାରୁ ଅଧିକ ପିଲା ସ୍କୁଲ ଆସୁଛନ୍ତି । ନୟାଗଡରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ସର୍ବାଧିକ ଆସୁଥିବା ବେଳେ ବରଗଡରେ ଦ୍ୱାଦଶ ଶ୍ରେଣୀର ସର୍ବାଧିକ ଛାତ୍ରଛାତ୍ରୀ ଆସୁଛନ୍ତି । କରୋନା ପାଇଁ ପୂର୍ବରୁ ସ୍କୁଲ ଗୁଡିକ ବନ୍ଦ ରହିଥିବା ବେଳେ ଗତ କିଛିଦିନ ହେବ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିଛି ।

ସେହିଭଳି ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେଉଥିବାରୁ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନ ବନ୍ଦ ହେବା ଆଶଙ୍କା ରହିଛି କି? ସୌମ୍ୟରଞ୍ଜନଙ୍କ ଏହି ପ୍ରଶ୍ନର ଉତ୍ତରରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଟିକାକରଣ ହୋଇନଥିବାରୁ ଓ ତଥାକଥିତ ତୃତୀୟ ଲହରରେ ଶିଶୁମାନେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଏପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲରେ ପ୍ରତ୍ୟକ୍ଷ ଶିକ୍ଷାଦାନ ହୋଇପାରିବ ନାହିଁ । ଅଥାର୍ତ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏବେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ନେଇ ସଂକେତ ମିଳୁଛି ।