କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ନେତା ଏହି ଘଟଣାକୁ ନିନ୍ଦା କରିବା ସହିତ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି, ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଆଜି ମଧ୍ୟ ଅନେକ ସ୍ଥାନରେ ହିଂସା ଏବଂ ସାମ୍ବାଦିକ ଭାଇଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଶେଷତଃ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣର ଦୃଶ୍ୟ ମୋତେ ବ୍ୟଥିତ କରିଛି । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ, ଯାହା ଦୁଃଖ ଓ ପରିତାପର ବିଷୟ । ରାଜନୀତିରେ ବାଦବିବାଦ ରୁହେ କିନ୍ତୁ ହିଂସାର ସ୍ଥାନ ନାହିଁ ।
ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭଳି ଆଜି ମଧ୍ୟ ଅନେକ ସ୍ଥାନରେ ହିଂସା ଏବଂ ସାମ୍ବାଦିକ ଭାଇଙ୍କ ଉପରେ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଶେଷତଃ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣର ଦୃଶ୍ୟ ମୋତେ ବ୍ୟଥିତ କରିଛି ।
— Dharmendra Pradhan (@dpradhanbjp) February 20, 2022
ଖାଲି ସେତିକି ନୁହେଁ, ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରଶାସନର ଦାୟିତ୍ୱ ହେଉଛି ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା । ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତ୍ୱର ସହ ନେଇ କଠୋର ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ।
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
— Pranab Prakash Das (@pranabpdas) February 20, 2022
ଅନ୍ୟପଟେ ଯାଜପୁରର ବିଜେଡି ବିଧାୟକ ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି, ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଲେଖିଛନ୍ତି ।