ରୋହିଣୀ କୋର୍ଟ ଭିତରେ ଗୁଳି ବର୍ଷା, ଓକିଲ ବେସରେ ଆସି ଗ୍ୟାଙ୍ଗଷ୍ଟର ଗୋଗିକୁ ହତ୍ୟା

156

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ହୋଇ ଉଠିଛି । ଦିଲ୍ଲୀର ରୋହିଣୀ କୋର୍ଟ ଭିତରେ ଫିଲ୍ମ ଷ୍ଟାଇଲରେ ଗ୍ୟାଙ୍ଗୱାର ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ରୋହିଣୀ କୋର୍ଟ ପରିସର ହଠାତ ଗୁଳି ଶବ୍ଦରେ ସ୍ତବ୍ଧ ହୋଇଯାଇଥିଲା । ଦିଲ୍ଲୀର ମୋଷ୍ଟ ୱଣ୍ଟେଡ ଗ୍ୟାଙ୍ଗଷ୍ଟର ଜିତ୍ରେନ୍ଦ୍ର ଓରଫ ଗୋଗୀକୁ କିଛି ଅନ୍ୟ ଗ୍ୟାଙ୍ଗର ଲୋକ କୋର୍ଟ ପରିସରରେ ଗୁଳିକରି ହତ୍ୟା କରିଛନ୍ତି ।

ଏହାପରେ କୋର୍ଟ ପରିସରରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ବଦମାସଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଁଣ୍ଟର ଫଳରେ ପୋଲିସ ଗୁଳିରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ରୋହିଣୀ ଡିସିପି ପ୍ରଣବ ତୟାଲ କହିଛନ୍ତି କି ଆକ୍ରମଣକାରୀମାନେ ଓକିଲ ଡ୍ରେସ ପିନ୍ଧି କୋର୍ଟ ପରିସରକୁ ପ୍ରବେଶ କରିଥିଲେ । ସେଠାରେ ସେମାନେ କୋର୍ଟରେ ଉପସ୍ଥିତ କରିବାକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ଗୋଗୀ ଉପରକୁ ଗୁଳି ଚଳାଇଥିଲେ । ସେମାନଙ୍କ ଗୁଳିରେ ଗୋଗୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାକୁ ଦେଖି ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ । ପୋଲିସ ଗୁଳିରେ ୨ ଜଣ ବଦମାସଙ୍କର ମୃତ୍ୟୁ ହୋଇଛି ।

କହିରଖୁ କି କୋର୍ଟ ପରିସରରେ ହଠାତ ଗୁଳି ଶବ୍ଦ ଶୁଣି ଉପସ୍ଥିତ ଥିବା ଲୋକମାନେ ଦୌଡିବା ଆରମ୍ଭ କରିଦେଇଥିଲେ । ଲୋକମାନେ ଜୀବନ ବିକଳରେ କିଏ କେଉଁ ଆଡେ ପଳାଇ ଯାଉଥିଲେ । ଏହି ଏନକାଉଣ୍ଟର ବେଳେ ଜଣେ ମହିଳା ଓକିଲ ବି ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ପରେ ପୁରା କୋର୍ଟ ପରିସରକୁ ସିଲ୍ କରିଦିଆଯାଇଛି ଓ ଦିଲ୍ଲୀ ପୋଲିସର ଯବାନମାନେ କୋର୍ଟକୁ ଜଗି ରହିଛନ୍ତି ।

ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଓରଫ ଗୋଗୀ ତିହାର ଜେଲରେ ବନ୍ଦୀ ଥିଲା । ତାକୁ ୨୦୨୦ ମସିହାରେ ଗିରଫ କରାଯାଇଥିଲା । ତାକୁ ଗିରଫ କରାଯିବା ବେଳେ ତା ନିକଟରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଜବତ କରାଯାଇଥିଲା । ଗୋଗୀକୁ ଧରିବାକୁ ଦିଲ୍ଲୀ ପୋଲିସ ୪ ଲକ୍ଷ ଓ ହରିଆଣା ପୋଲିସ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।

ଚର୍ଚ୍ଚିତ ହିରିଆଣା କଣ୍ଠଶୀଳ୍ପି ହର୍ଷିତା ହତ୍ୟା ମାମଲାରେ ଜିତେନ୍ଦ୍ରଙ୍କ ସଂପୃକ୍ତି ନେଇ ସୂଚନା ପାଇବା ପରେ ପୋଲିସ ଧିରେ ଧିରେ ଜିତେନ୍ଦ୍ର ଅପରାଧିକ ମାମଲାର ଗୁମର ଖୋଲିଥିଲା ।