ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

ବିବାଦ ଘେରରେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର

1,178

କନକ ବ୍ୟୁରୋ: ଜିପରେ ଆସିଲେ ଆଉ ଘରୁ ବାହାର କରିବାକୁ ପଶିଲେ ଗୁଣ୍ଡା । ଜଣେ କି ଦୁଇଜଣ ନୁହେଁ ୨୦ରୁ ଅଧିକ ଗୁଣ୍ଡା ଘରେ ପଶିଲେ ଆଉ ଯାହା ପାଇଲେ ତାକୁ ଭାଙ୍ଗିଲେ, ଖାଲି ସେତିକି ନୁହେ ଭଡାଟିଆଙ୍କୁ ମଧ୍ୟ ନିର୍ଧୁମ ପିଟିଲେ । ପ୍ରାୟ ଅଧଘଂଟା ଧରି ଚାଲଥିଲା ଉନ୍ମତ୍ତକାଣ୍ଡ  ଆଉ ଏସବୁ ଘଟୁଥିଲା ଖୋଦ ପୁଲିସ ସାମ୍ନାରେ ।

ଭୁବନେଶ୍ୱର ନୟାପଲ୍ଲୀର ଏନ-୩, ୨୧୧ ଘରେ ଘଟିଗଲା ଏମିତି କିଛି ଘଟଣା । ଘରେ ଭଡା ରହୁଥିବା ପ୍ରଣବ ରାୟଙ୍କୁ ଜୀବନରୁ ମାରିବା ଧମକ ଆଉ ମରଣାନ୍ତକ ଆକ୍ରମଣ କରିବା ମହଙ୍ଗା ପଡିଛି ।  ଯାହାକୁ ନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ଭଡାଟିଆ ପ୍ରଣବ ରାୟଙ୍କ ଝିଅ ତାନ୍ୟା ରାୟ ।

ଖବର ଅନୁସାରେ, ଉକ୍ତ ଘରେ ପ୍ରଣବ ରାୟ ଦୀର୍ଘଦିନ ଧରି ରହିଥିଲେ । ଘରର ସାଜସଜ୍ଜା ବାବଦରେ କିଛି ଅର୍ଥ ଖର୍ଚ୍ଚ ବି କରିଛନ୍ତି । ଆଉ ଘରର ମାଲିକଙ୍କ ସହିତ ସେହି ଘରର କିଣାବିକା ନେଇ  ମାମଲା ଏବେ କୋର୍ଟରେ ରହିଛି । କିନ୍ତୁ ଭଡାଟିଆ ପ୍ରଣବ ରାୟଙ୍କ କହିବା କଥା ହେଲା, ଉପାସନା ମହାପାତ୍ର ତାଙ୍କୁ ଘର ଛାଡିବାକୁ ଧମକ ଦେଇଆସୁଥିଲେ । ଆଉ ଘର ନ ଛାଡିବାରୁ ଗୁଣ୍ଡା ଲଗାଇ ତାଙ୍କୁ ଆକ୍ରମଣ କରିଛନ୍ତି । ଏବେ ପ୍ରଣବ ରାୟଙ୍କ ଏତଲାକୁ ଭିତ୍ତି କରି କମିଶନରେଟ ପୁଲିସ ୧୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଉ ୨୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଗିରଫଙ୍କ ମଧ୍ୟରେ କଂଗ୍ରେସର ଜଣେ ଛାତ୍ରନେତା ଅଛନ୍ତି । କେବଳ ସେତିକି ନୁହେଁ, ଗଣ୍ଡଗୋଳ ସମୟରେ ଖବର ପାଇ ପିସିଆର ଭ୍ୟାନ ସେଠାକୁ ଯାଇଥିଲା । ଆଉ ଭ୍ୟାନରେ ଥିବା କାର୍ଯ୍ୟରତ କନଷ୍ଟେବଳ ଘଟଣା ବାବଦରେ ଥାନାକୁ ନ ଜଣାଇବାରୁ ତାଙ୍କୁ ବି ଗିରଫ କରାଯାଇଛି । ସେପଟେ ଡିସିପି କହିଛନ୍ତି, ଘଟଣାରେ ଯେଉଁମାନଙ୍କ ସଂପୃକ୍ତି ଆସିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

ଉପାସନା ମହାପାତ୍ରଙ୍କ ନାଁରେ ଅଭିଯୋଗ ଆସିବା ପରେ ତାଙ୍କୁ ଯୋଗାଯୋଗ କରିବାକୁ ଆମ ପ୍ରତିନିଧି ଚେଷ୍ଟା କରିଥିଲୋ କିନ୍ତୁ ଏ ସଂକ୍ରାନ୍ତରେ ସେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ବୋଲି କହିଛନ୍ତି । ସେପଟେ ଉଭୟ ଉପାସନା ଓ ତାଙ୍କ ସ୍ୱାମୀଙ୍କ ନାଁ ଏତଲାରେ ଥିବାରୁ ପୁଲିସର ପରବର୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି । ଏଠାରେ ପ୍ରଶ୍ନ ଉଠୁଛି, ଭଡାରେ ରହୁଥିବା ଲୋକ ଘରୁ ନ ଉଠିଲେ ବାହାର କରିବା ପାଇଁ ଅନେକ ନ୍ୟାୟିକ ପ୍ରକ୍ରିୟା ରହିଛି । କିନ୍ତୁ ଏହା ନ କରି ଘରକୁ ଗୁଣ୍ଡାପଠାଇ ଭଙ୍ଗାରୁଜା କରିବା ଉପାସନାଙ୍କ ପାଇଁ ବିପଦ ନେଇଆସିଛି ।