କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ରାଜନୈତିକ ହିଂସା । ଲଙ୍ଗଳେଶ୍ୱର ମାଛ ବଜାରରେ ଘଟିଛି ଲୋମଟାଙ୍କୁରା ଘଟଣା । ଦୁର୍ବୃତମାନେ ବିଚ୍ ବଜାରରେ ଜଣେ ମୋଟର ସାଇକେଲ ଚାଳକଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗିଦେଲେ । ପରେ ତାଙ୍କଠାରୁ ଲୁଟ୍ ପାଟ କରି ନଗଦ ୨୦ ହଜାର ଟଙ୍କା, ସୁନା ଚେନ୍ ଓ ମୋବାଇଲ ଛଡାଇନେଲେ । କେବଳ ଏତିକି ନୁହେଁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ଗୋଡ ହାତ କାଟି ପକାଇଥିଲେ । ଲୋକେ ପହଂଚିଯିବାରୁ ଦୁର୍ବୃତମାନେ ସେଠାରୁ ଚମ୍ପଟ ମାରିଥିଲେ ।
ଆକ୍ରମଣର ଶିକାର ଯୁବକ ହେଉଛନ୍ତି କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ପଞ୍ଚାୟତର ଅସିତ କୁମାର ନାୟକ । ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା କହିଛନ୍ତି ଅସିତ । ତାଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ସେ ଚିହ୍ନିଥିବା କହିଛନ୍ତି । ଅସିତ କହିଛନ୍ତି ପଂଚାୟତ ନିର୍ବାଚନରେ ଆକ୍ରମଣ କରିଥିବା ଲୋକେ ହାରିଥିଲେ ଓ ତାଙ୍କ ଗୋଷ୍ଠୀ ବିଜୟୀ ହୋଇଥିଲା । ଏହି କାରଣରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା କହିଛନ୍ତି ଅସିତ ।