ଇଭିଏମରେ ସିଲ୍ ହେଲା ମମତା ଓ ଶୁଭେନ୍ଦୁ ଅଧିକାରୀଙ୍କ ଭାଗ୍ୟ । ନନ୍ଦିଗ୍ରାମରେ କିଛି ସ୍ଥାନରେ ହିଂସା, ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ଆକ୍ରମଣ ।

162

କନକ ବ୍ୟୁରୋ: ପଶ୍ଚିମବଙ୍ଗ ରାଜନୀତି ସେବେଠାରୁ ଉତ୍ତପ୍ତ ରହିଛି , ଯେବେ ଠାରୁ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି । ୮ ପର୍ଯ୍ୟାୟର ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ବହୁଚର୍ଚିତ ନନ୍ଦିଗ୍ରାମ ଆସନରେ ହୋଇଛି ଭୋଟିଂ । ଏହି ସମୟରେ ନନ୍ଦିଗ୍ରାମ ଆସନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ହୋଇଛି ଆକ୍ରମଣ । ଘଟଣା ପଛରେ ମମତାଙ୍କ ହାତ ରହିଥିବା ଇସାରା କରିଛନ୍ତି ଶୁଭେନ୍ଦୁ । ସେପଟେ ବିଜେପି ଭୋଟିଂ ସମୟରେ ବାହାର ଗୁଣ୍ଡାଙ୍କୁ ଲଗାଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ଆଣିଛି ଟିଏମସି ।

ଭାଙ୍ଗି ଯାଇଛି ଗାଡି । ଚୁରମାର ହୋଇଯାଇଛି ଗାଡିର ଆଗ ପାଶ୍ୱରେ ରହିଥିବା କାଚ । ପୁରା କାଚ ଏତେ ଖଣ୍ଡ ହୋଇ ଯାଇଛି ଏହାକୁ ଗଣିବା ମୁସ୍କିଲ । ଏ ହେଉଛି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମ ଆସନ ପାଇଁ ବିଜେପି ପ୍ରାର୍ଥୀ ରହିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର ଅବସ୍ଥା ।

ରାଣୀଛକ ଓ ଦାରୁଲ ମଦ୍ରାସା ନିକଟରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ପଥର ମାଡ ହୋଇଥିବା ଜଣାପଡିଛି । ଅନ୍ୟପଟେ କାରକେଡ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ପଶ୍ଚିମବଙ୍ଗରେ ଜଙ୍ଗଲରାଜ ଚାଲିଛି ।

ଏପଟେ ଚାଲିଥିଲା ମତଦାନ , ସେପଟେ ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ କାରକେଡ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ପୁରା ଘଟଣା ପଛରେ ଟିଏମସି ସମର୍ଥକ ଓ ଗୁଣ୍ଡାଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ଶୁଭେନ୍ଦୁ । ତେବେ ଏଥିରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡିର ବିଶେଷ କିଛି କ୍ଷତି ହୋଇନାହିଁ । ଅନ୍ୟପଟେ ଶୁଭେନ୍ଦୁ ଅଧିକାରୀଙ୍କ ପଛରେ କଭରେଜ ପାଇଁ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ । ମମତା ନିଜ ଗଡରେ ପରାସ୍ତ ହେଉଥିବାରୁ ଏପରି କାଣ୍ଡ ଘଟାଉଥିବା କହିଛି ବିଜେପି । ସେପଟେ ଟିଏମସି ପୁରା ଘଟଣା ପଛରେ ବାହାର ଗୁଣ୍ଡାଙ୍କ ହାତ ଥିବା କହିଛି ଟିଏମସି ।

ପଶ୍ଚିମବଙ୍ଗରେ ମତଦାନ ସମୟରେ କିଛି ସ୍ଥାନରେ ହିଂସାକାଣ୍ଡ ଘଟଣା ନଜରକୁ ଆସିଛି । ପଶ୍ଚିମ ମେଦିନପୁରରେ ସିପିଆଇ କର୍ମୀ ମତଦାନକୁ ନେଇ ହିଂସା ଘଟାଇଛନ୍ତି । ଏପଟେ ନନ୍ଦିଗ୍ରାମରେ ଅନେକ ସମୟ ଧରି ଭୋଟରଙ୍କୁ ମତଦାନରୁ ଦୂରେଇ ରଖିଥିବାର ଅଭିଯୋଗ ବି ଆସିଛି । ମତଦାନ ବେଳେ ଟିଏମସି  ସମର୍ଥକ ହିଂସା ଘଟାଇଥିବା ଅଭିଯୋଗ କରିଛି ବିଜେପି ।

ପଶ୍ଚିମବଙ୍ଗରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଉତେଜନା ପ୍ରବଣ ବୁଥ ଗୁଡିକରେ କେନ୍ଦ୍ରୀୟ ବଳ ସହିତ ହେଲିକପ୍ଟର ମୁତୟନ କରାଯାଇଛି । ଏହା ପରେ ବି ଉତେଜନାରେ ଲାଗି ପାରିନି ରୋକ୍ ।