କନକ ବ୍ୟୁରୋ : ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଦୁର୍ନୀତି ଏବଂ ବେଆଇନ ମଦ ବିକ୍ରି ବିଷୟରେ ଅଭିଯୋଗ କରିଥିବା ରାଜସ୍ଥାନ ଅନ୍ତର୍ଗତ ବାଡ଼ମେର୍ ଜିଲ୍ଲାର ଜଣେ ୩୦ ବର୍ଷିୟ ସୂଚନା ଅଧିକାର କର୍ମୀ ଡିସେମ୍ବର ୨୧ ତାରିଖରେ ଭୀଷଣ ମାଡ଼ ଖାଇଛନ୍ତି। ଦୁର୍ବୃତ୍ତମାନେ ଅମରାରାମ ଗୋଦାରା ନାମକ ସେ ସୂଚନା ଅଧିକାର କର୍ମୀଙ୍କୁ ଲୁହାଛଡ଼ରେ ପିଟିବା ସହ ତାଙ୍କର ଦୁଇଗୋଡ଼ ଓ ହାତ ଭାଙ୍ଗି ପକାଇ ସେଥିରେ କଣ୍ଟା ପିଟିଛନ୍ତି।
ସମ୍ପ୍ରତି ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଗୋଦାରାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବାଡ଼ମେର୍ର ଅତିରିକ୍ତ ଏସ୍.ପି. ଡାକ୍ତରଖାନା ଯାଇ ତାଙ୍କୁ ଦେଖି ଆସିଛନ୍ତି। ସବୁଠୁ କଠିନ ଦଫା ଲଗାଇ ଆମେ ‘ଏଫ୍ଆଇଆର୍’ ପଞ୍ଜିକରଣ କରିଛୁ। ଯଥା ଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ଲାଗି ଘଟଣାସ୍ଥଳକୁ ୪ଟି ପୁଲିସ ଟିମ୍ ପଠାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଏସପି ।
ବାଡ଼ମେର୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଦୀପପ ଭାର୍ଗବଙ୍କ କହିବା ଅନୁସାରେ, ୮ଜଣ ଆକ୍ରମଣକାରୀ ଗୋଦାରାଙ୍କୁ ଗୋଟାଏ କାର୍ରେ ଅପହରଣ କରି ନେଇ ଦୀର୍ଘ ସମୟ ଧରି ମାରଧର କରିଥିଲେ। ତାଙ୍କ ହାତଗୋଡ଼ ଭାଙ୍ଗାଯିବା ସହ ଗୋଡ଼ରେ କଣ୍ଟା ବାଡ଼ାଯାଇଛି। ତା’ପରେ ମୃତ ବୋଲି ଭାବି ଆକ୍ରମଣକାରୀମାନେ ଗୋଦାରାଙ୍କୁ ଛାଡ଼ି ପଳାଇ ଥିଲେ। କିନ୍ତୁ ସୌଭାଗ୍ୟବସତଃ ତାଙ୍କର ଜୀବନ ବଞ୍ଚି ଯାଇଥିଲା । ପୋଲିସକୁ ସୂଚନା ମିଳିବା ପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଡିସେମ୍ବର ୧୫ ତାରିଖ ଦିନ ଗାଁ’ ଅଭିଯାନ ପାଇଁ ପ୍ରଶାସନ ସହ ଯୋଗ ଦେଇଥିବା ଗୋଦାରା ଗ୍ରାମ ପଞ୍ଚାୟତରେ ନରେଗା କାର୍ଯ୍ୟରେ ଚାଲିଥିବା ଅନିମୟମିତତା, ବାସଗୃହ ଯୋଜନାରେ ଅନିୟମିତତା ଏବଂ ଗାଁରେ ବେଆଇନ ମଦ ବିକ୍ରି ବିରୋଧରେ ଅଭିଯୋଗ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଟାର୍ଗେଟ କରାଯାଇଥିବା କହିଛନ୍ତି ଗୋଦାରା ।