ମନ୍ତ୍ରୀ ପୁଅଙ୍କ ଦାଦାଗିରି ! ଘଷିପୁରାରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ, ମନ୍ତ୍ରୀ ବଦ୍ରି ପାତ୍ର ପୁଅଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କଲା କଂଗ୍ରେସ, ୧୫ କଂଗ୍ରେସ କର୍ମୀ ଆହତ ।

1,729

କନକ ବ୍ୟୁରୋ: କେନ୍ଦୁଝରରେ ବଢୁଛି ନିର୍ବାଚନୀ ହିଂସା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ । ଘଷିପୁରା ନିର୍ବାଚନ ମଣ୍ଡଳୀ ଭଣ୍ଡାରୀପଡ଼ା ଛକଠାରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ୧୫ ଜଣରୁ ଅଧିକ କଂଗ୍ରେସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଗାଡ଼ି ଭିତରେ ଥିବା କିଛି କଂଗ୍ରେସ କର୍ମୀଙ୍କ ଗୋଡ଼ରେ ଗୁଳି ବାଜି ଆହତ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଏହି ଆକ୍ରମଣ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଜିଲ୍ଲା ଉପସଭାପତି ରତିକାନ୍ତ ବରାଳ । ଏପରିକି ଦେବାଶିଷଙ୍କ ଉପସ୍ଥିତିରେ  ଦୁର୍ବୁତ୍ତମାନେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେପଟେ ଏନେଇ ରାମଚନ୍ଦ୍ରପୁର ଥାନାରେ କଂଗ୍ରେସ ତରଫରୁ ଲିଖିତ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଜିଲ୍ଲା ଏସପି କହିଛନ୍ତି କି, ଘଟଣା ଉପରେ ନଜର ରଖାଯାଇଛି । ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । 

ସୂଚନା ମୁତାବକ ବଦ୍ରୀପାତ୍ରଙ୍କ ପୁଅଙ୍କ ନାଁରେ ଗତକାଲି ମଧ୍ୟ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଘସିପୁରା ନିର୍ବାଚନମଣ୍ଡଳୀର ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା ।  ତେବେ ଗୋଟିଏ ପଟେ ଗତକାଲିର ଘଟଣାର ତଦନ୍ତ ପୋଲିସ କରୁଥିବାବେଳେ ପୁଣି ପିିସିସି ସଭାପତିଙ୍କ ଗାଡ଼ି ଉପରେ ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନବାଚୀ ଉଠାଇଛି ।