ଭୁବନେଶ୍ୱର ରହସ୍ୟମୟ ଛୁରାମାଡ ଘଟଣା । ଅଭିଯୁକ୍ତ ରୂପେଶ ପଣ୍ଡାର ସହଯୋଗୀ ଗିରଫ

105

କନକ ବ୍ୟୁରୋ : ଭୁବନେଶ୍ୱର ରହସ୍ୟମୟ ଛୁରାମାଡ ଘଟଣା । ଅଭିଯୁକ୍ତ ରୂପେଶ ପଣ୍ଡାର ସହଯୋଗୀ ଗିରଫ । ଲୁଟ୍ ପାଇଁ ଯୁବତୀ ବେଶରେ ଯାଇ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହେଉଛି । ରୂପେଶ ବିରୋଧୀରେ ସଂଗୀନ ଦଫା ଲାଗିଛି । ୩୦୭ ହତ୍ୟା ଉଦ୍ୟମ, ୩୯୩ ଲୁଟ୍ ଉଦ୍ୟମ ପରି ଦଫା ଲାଗିଛି । ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ରୁପେଶ ପଣ୍ଡାକୁ ଅଟକ ରଖିଥିଲା ପୋଲିସ । ସେହିପରି ରୂପେଶଙ୍କ ଅନ୍ୟଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ସେ ଘଟଣାର ମାଷ୍ଟରମାଇଣ୍ଡି ଥିବା ପୋଲିସ ପକ୍ଷରୁ ଜଣାପଡିଛି । ସୋମବାର ଦିନ ପ୍ରାୟ ୧୨ଟା ବେଳେ ରାଜଧାନୀର ଶୈଳଶ୍ରୀବିହାର ଅଂଚଳରେ ଯୁବତୀ ବେଶରେ ପଡୋଶୀଙ୍କ ଘରେ ପଶି ରୂପେଶ ପଣ୍ଡା ଉନ୍ମତକାଣ୍ଡ ଘଟାଇଥିଲେ ।

ଦୁଇ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ରୂପେଶ ସୁସ୍ଥ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା । ତେଣୁ ଏହି ମାମଲାର ତଦନ୍ତ କରୁଥିବା ଟିମ୍‌ ଆଜି ରୂପେଶକୁ ହସ୍ପିଟାଲରୁ ସିଧା ଥାନାକୁ ନେଇଥିଲା । ପଚରାଉଚରା ବେଳେ ପୁଣି ମନଗଢ଼ା କାହାଣୀ ଶୁଣାଇଲା ରୂପେଶ। ଏମିତିକି ଘଟଣା ଦିନ ଯେମିତି କହିଥିଲା,  ଆହୁରି ଅଧିକ ବନେଇଚୁନେଇ କହିଥିଲା । ଅଫିସ ଯିବା ବାଟରେ ତା’କୁ ଦୁର୍ବୃତ୍ତମାନେ ଅପହରଣ କରି ମ୍ୟାକ୍ସି ପିନ୍ଧାଇଲେ ଓ ପ୍ରଫେସର ମିଶ୍ରାଙ୍କ ଘରେ ପଶି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ନ ହେଲେ ତାକୁ ହତ୍ୟା କରିବେ ବୋଲି ଅପହରଣକାରୀମାନେ ଧମକ ଦେଲେ । ସେଦିନର ଏହି କାହାଣୀକୁ ପୁଣି ଆଜି ବଡ଼ ସୁନ୍ଦର ଭାବେ ରୂପେଶ ବର୍ଣ୍ଣନା କରିଥିଲା ।

ତେଣୁ ପୁଲିସ ତାକୁ ଧରି ନୀଳାଦ୍ରିବିହାରର କଥିତ ଅପହରଣ ସ୍ଥାନକୁ ନେଇଥିଲା । ମାତ୍ର ସେ କହିଥିବା ଓ ଦେଖାଇଥିବା ଜାଗା ଭିତରେ ତାଳମେଳ ନଥିବା ଜଣାପଡ଼ିଥିଲା । କଥାରେ ତାଳମେଳ ନଥିଲେ ବି ରୂପେଶ ଏଣୁତେଣୁ କହି ପୁଲିସକୁ ପାଣି ପିଆଇଥିଲା । ତେଣୁ ଆଜି ବି ପୁଲିସ ତା’ଠାରୁ ସତ ଉଗାରି ପାରିନାହିଁ । ସେହିଭଳି ମ୍ୟାକ୍ସି ଓ ଛୁରିକୁ ନେଇ ସେ ପୁଲିସକୁ ଦେଇଥିବା ସୂଚନାରେ ମଧ୍ୟ ତାଳମେଳ ରହୁନଥିବା ଜଣାପଡ଼ିଛି । ତା’ ପରିବାର ଲୋକେ ମ୍ୟାକ୍ସି ସେମାନଙ୍କର ନୁହେଁ ବୋଲି କହୁଥିଲେ ହେଁ ତାହା ମଧ୍ୟ ସତ ନୁହେଁ ବୋଲି ପୁଲିସ ଜାଣିବାକୁ ପାଇଛି । ତେଣୁ ବର୍ତ୍ତମାନ ସୁଦ୍ଧା ଏହି ରହସ୍ୟମୟ ଘଟଣାଟି ଏକ ସୁଚିନ୍ତିତ ଲୁଟ୍‌ ଉଦ୍ୟମ ବୋଲି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଶୈଳଶ୍ରୀବିହାର ଭିଆଇଏମ୍‌ କଲୋନିରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ଘରେ ନଥିବା ବେଳେ ହଠାତ୍ ରୂପେଶ ମ୍ୟାକ୍ସି ପିନ୍ଧି ତାଙ୍କ ଘରେ ପଶିଥିଲା । ମୁଣ୍ଡରେ ହେଲ୍‌ମେଟ୍‌ ଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ ରୂପେଶକୁ ଚିହ୍ନି ପାରିନଥିଲେ । ସେମାନେ କବାଟ ଖୋଲିବା ମାତ୍ରେ ରୂପେଶ ଏକ ଖେଳଣା ବନ୍ଧୁକ ଓ ଛୁରି ଦେଖାଇ ମା’ ଝିଅଙ୍କୁ ରଶିରେ ବାନ୍ଧିବାକୁ ଉଦ୍ୟମ କରିଥିଲା । ମାତ୍ର ସାହସ ଜୁଟାଇ ମା’, ଝିଅ ରୂପେଶକୁ ପାଲଟା ଆକ୍ରମଣ କରିଥିଲେ। ଧସ୍ତା‌ଧସ୍ତିରେ ଉଭୟ ପକ୍ଷ ଆହତ ହୋଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବା ପରେ ମ୍ୟାକ୍ସି ପିନ୍ଧା ଲୋକଟି ରୂପେଶ ବୋଲି ଜଣା ପଡ଼ିଥିଲା ।