କନକ ବ୍ୟୁରୋ : ଭୁବନେଶ୍ୱରରେ ମା’ ଓ ଝିଅଙ୍କୁ ଆକ୍ରମଣ କରିବା ଘଟଣା । ପ୍ରେସମିଟରେ ପୂରା ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣ ହେଲେ ବୈଦୁତିକ ଗଣମାଧ୍ୟମରେ କାମ କରୁଥିବା ରୂପେଶ ପଣ୍ଡା ଓ ସଞ୍ଜୟ ପଣ୍ଡା । ୨ ଅଭିଯୁକ୍ତ ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଘର ଋଣରେ ଥିବାରୁ ଲୁଟ୍ ଉଦ୍ୟମ କରିଥିଲେ । ଛୁରୀ, ଖେଳନା ବନ୍ଧୁକ, ପ୍ଲାଷ୍ଟିକ୍ ଦଉଡି ସବୁ ଜବତ କରାଯାଇଛି । ଚିହ୍ନା ନପଡିବା ପାଇଁ ଝିଅ ବେଶରେ ଲୁଟ୍ କରିଥିଲେ । ୨ଜଣ ଅଭିଯୁକ୍ତ ଏହି ଯୋଜନା କରିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରୁ ସଞ୍ଜୟକୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ ଚାଲିଛି, ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୁଇ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ରୂପେଶ ସୁସ୍ଥ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା । ତେଣୁ ଏହି ମାମଲାର ତଦନ୍ତ କରୁଥିବା ଟିମ୍ ଆଜି ରୂପେଶକୁ ହସ୍ପିଟାଲରୁ ସିଧା ଥାନାକୁ ନେଇଥିଲା । ପଚରାଉଚରା ବେଳେ ପୁଣି ମନଗଢ଼ା କାହାଣୀ ଶୁଣାଇଲା ରୂପେଶ। ଏମିତିକି ଘଟଣା ଦିନ ଯେମିତି କହିଥିଲା, ଆହୁରି ଅଧିକ ବନେଇଚୁନେଇ କହିଥିଲା । ଅଫିସ ଯିବା ବାଟରେ ତା’କୁ ଦୁର୍ବୃତ୍ତମାନେ ଅପହରଣ କରି ମ୍ୟାକ୍ସି ପିନ୍ଧାଇଲେ ଓ ପ୍ରଫେସର ମିଶ୍ରାଙ୍କ ଘରେ ପଶି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ନ ହେଲେ ତାକୁ ହତ୍ୟା କରିବେ ବୋଲି ଅପହରଣକାରୀମାନେ ଧମକ ଦେଲେ । ସେଦିନର ଏହି କାହାଣୀକୁ ପୁଣି ଆଜି ବଡ଼ ସୁନ୍ଦର ଭାବେ ରୂପେଶ ବର୍ଣ୍ଣନା କରିଥିଲା ।
ତେଣୁ ପୁଲିସ ତାକୁ ଧରି ନୀଳାଦ୍ରିବିହାରର କଥିତ ଅପହରଣ ସ୍ଥାନକୁ ନେଇଥିଲା । ମାତ୍ର ସେ କହିଥିବା ଓ ଦେଖାଇଥିବା ଜାଗା ଭିତରେ ତାଳମେଳ ନଥିବା ଜଣାପଡ଼ିଥିଲା । କଥାରେ ତାଳମେଳ ନଥିଲେ ବି ରୂପେଶ ଏଣୁତେଣୁ କହି ପୁଲିସକୁ ପାଣି ପିଆଇଥିଲା । ତେଣୁ ଆଜି ବି ପୁଲିସ ତା’ଠାରୁ ସତ ଉଗାରି ପାରିନାହିଁ । ସେହିଭଳି ମ୍ୟାକ୍ସି ଓ ଛୁରିକୁ ନେଇ ସେ ପୁଲିସକୁ ଦେଇଥିବା ସୂଚନାରେ ମଧ୍ୟ ତାଳମେଳ ରହୁନଥିବା ଜଣାପଡ଼ିଛି । ତା’ ପରିବାର ଲୋକେ ମ୍ୟାକ୍ସି ସେମାନଙ୍କର ନୁହେଁ ବୋଲି କହୁଥିଲେ ହେଁ ତାହା ମଧ୍ୟ ସତ ନୁହେଁ ବୋଲି ପୁଲିସ ଜାଣିବାକୁ ପାଇଛି । ତେଣୁ ବର୍ତ୍ତମାନ ସୁଦ୍ଧା ଏହି ରହସ୍ୟମୟ ଘଟଣାଟି ଏକ ସୁଚିନ୍ତିତ ଲୁଟ୍ ଉଦ୍ୟମ ବୋଲି କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଶୈଳଶ୍ରୀବିହାର ଭିଆଇଏମ୍ କଲୋନିରେ ରହୁଥିବା ଅବସରପ୍ରାପ୍ତ ପ୍ରଫେସର ସୁରେଶ ମିଶ୍ରା ଘରେ ନଥିବା ବେଳେ ହଠାତ୍ ରୂପେଶ ମ୍ୟାକ୍ସି ପିନ୍ଧି ତାଙ୍କ ଘରେ ପଶିଥିଲା । ମୁଣ୍ଡରେ ହେଲ୍ମେଟ୍ ଥିବାରୁ ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ ରୂପେଶକୁ ଚିହ୍ନି ପାରିନଥିଲେ । ସେମାନେ କବାଟ ଖୋଲିବା ମାତ୍ରେ ରୂପେଶ ଏକ ଖେଳଣା ବନ୍ଧୁକ ଓ ଛୁରି ଦେଖାଇ ମା’ ଝିଅଙ୍କୁ ରଶିରେ ବାନ୍ଧିବାକୁ ଉଦ୍ୟମ କରିଥିଲା । ମାତ୍ର ସାହସ ଜୁଟାଇ ମା’, ଝିଅ ରୂପେଶକୁ ପାଲଟା ଆକ୍ରମଣ କରିଥିଲେ। ଧସ୍ତାଧସ୍ତିରେ ଉଭୟ ପକ୍ଷ ଆହତ ହୋଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯିବା ପରେ ମ୍ୟାକ୍ସି ପିନ୍ଧା ଲୋକଟି ରୂପେଶ ବୋଲି ଜଣା ପଡ଼ିଥିଲା ।