ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଏସପି କହିଲେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି; ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମୁତୟନ ହେବେ ଅଧିକ ଫୋର୍ସ

୧୧ଜଣ ଗିରଫ, ଆଗକୁ ଜାରି ରହିବ ଗିରଫଦାରୀ

56

କନକ ବ୍ୟୁରୋ : ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର । ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଜଣଙ୍କୁ ଗିରଫ କରାଯାଇଛି । ଏସପି କହିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଘଟଣାରେ ୧୧ଜଣ ଗିରଫ କରାଯାଇଛି ଆଗକୁ ଜାରି ରହିବ ଗିରଫଦାରୀ । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଅଧିକ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ଏସପି । ଗଣମାଧ୍ୟମରୁ ଫଟୋ ଦେଖି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

ଆଉ କିଛି ଲୋକଙ୍କୁ ପଚରାଉଚରା କରାଯାଉଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ୪୦ରୁ ୫୦ ଦୁର୍ବୃତ୍ତ ମଣାନ୍ତକ ଆକ୍ରମଣ କରିଥିଲେ । ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାରୁ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଅବଶ୍ୟ ସେମାନେ ମୋବାଇଲ ଛଡାଇ ନେଇଛନ୍ତି, କିନ୍ତୁ ଆମ ପ୍ରତିନିଧିଙ୍କ ପାଖରେ ରହିଯାଇଥିବା ମୋବାଇଲରେ ଏହି ଭିଜୁଆଲ ରେକର୍ଡ ହୋଇଛି ।

ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଘଟଣା ପରେ ପୁଲିସ ଆଇଜି ନରସିଂହ ଭୋଳ ବିଂଝାରପୁର ପହଂଚି ସ୍ଥିତି ସମୀକ୍ଷା କରିଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପି ରାହୁଲ ପିଆରଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।