କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ । ଆକ୍ରମଣ ଘଟଣାରେ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ କିଛି ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୁଲିସ ଆଇଜି ବିଞ୍ଝାରପୁର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପିଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାଜପୁର ବାଛଳ ପଞ୍ଚାୟତରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ ଜଣ ସନ୍ଦିଗ୍ଧ ଲୋକଙ୍କୁ ଗାଁରୁ ପୁଲିସ ଉଠାଇ ଆଣିଥିଲା ।

Advertisment

ଘଟଣା ଘଟିଥିବା ଯାଜପୁର ବାଛଳ ପଞ୍ଚାୟତର ୨ ନମ୍ବର ଓ ୪ନମ୍ବର ବୁଥ୍ ଥିବା ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ପାଖାପାଖି ୧୦୦ରୁ ଅଧିକ ପୋଲିସ ଗାଁରେ ପହଞ୍ଚି କଡ଼ା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଛନ୍ତି । ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ୪୦ରୁ ୫୦ ଦୁର୍ବୃତ୍ତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାରୁ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଅବଶ୍ୟ ସେମାନେ ମୋବାଇଲ ଛଡାଇ ନେଇଛନ୍ତି, କିନ୍ତୁ ଆମ ପ୍ରତିନିଧିଙ୍କ ପାଖରେ ରହିଯାଇଥିବା ମୋବାଇଲରେ ଏହି ଭିଜୁଆଲ ରେକର୍ଡ ହୋଇଛି । ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଞ୍ଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।