କନକ ବ୍ୟୁରୋ : ସାମ୍ବାଦିକଙ୍କୁ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପୁଲିସ । ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଯାଜପୁର ଏସପି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି । ସେପଟେ ପୁଲିସ ଆଇଜି ନରସିଂହ ଭୋଳ ବିଂଝାରପୁର ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆଇଜି ଯାଜପୁର ଏସପି ରାହୁଲ ପିଆରଙ୍କ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଯାଜପୁର ବାଛଳ ପଂଚାୟତରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ ଜଣ ସନ୍ଦିଗ୍ଧ ଲୋକଙ୍କୁ ଗାଁରୁ ପୁଲିସ ଉଠାଇ ଆଣି ଥାନରେ ଅଟକ ରଖି ପଚରା ଉଚରା କରୁଛି । ଘଟଣା ଘଟିଥିବା ଯାଜପୁର ବାଛଳ ପଂଚାୟତର ୨ ନମ୍ବର ଓ ୪ନମ୍ବର ବୁଥ୍ ଥିବା ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ପାଖାପାଖି ଶହେରୁ ଅଧିକ ପୋଲିସ ଗାଁରେ ପହଂଚି କଡ଼ା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଛନ୍ତି । ଆଜି ସକାଳେ ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ । ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ ।

୪୦ରୁ ୫୦ ଦୁର୍ବୃତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ସମସ୍ତେ ମିଶି ଏମାନଙ୍କୁ ଆକ୍ରମଣ କରୁଥିବାରୁ ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଅବଶ୍ୟ ସେମାନେ ମୋବାଇଲ ଛଡାଇ ନେଇଛନ୍ତି, କିନ୍ତୁ ଆମ ପ୍ରତିନିଧିଙ୍କ ପାଖରେ ରହିଯାଇଥିବା ମୋବାଇଲରେ ଏହି ଭିଜୁଆଲ ରେକର୍ଡ ହୋଇଛି । ତିନି ଜଣ ସାମ୍ବାଦିକ ଆହତ ହୋଇ ପ୍ରଥମେ ବିଂଝାରପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।