ବାଂଲାଦେଶର ହିନ୍ଦୁଙ୍କ ଉପରେ ହେଉଛି ଆକ୍ରମଣ । ଜାଣନ୍ତୁ, ଏହା ପଛରେ ଅଛି କେଉଁ ସଙ୍ଗଠନ…

162

କନକ ବ୍ୟୁରୋ: ଗତ ୧୦ ଦିନ ହେଲା ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଲଗାତାର ହିଂସା ଦେଖିବାକୁ ମିଳୁଛି । ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ ଭଙ୍ଗା ଯାଉଥିବାବେଳେ, ହିନ୍ଦୁମାନଙ୍କୁ ମଧ୍ୟ ଆକ୍ରମଣ କରାଯାଉଛି । ହେଲେ ଏହି ଆକ୍ରମଣ ପଛରେ କେଉଁ ସଙ୍ଗଠନ କାମ କରୁଛି? ଏହା ପଛରେ କିଛି ରାଜନୈତିକ ଶକ୍ତି କାମ କରୁଛି କି ବୋଲି ଏବେ ଚର୍ଚ୍ଚା ଜୋରଦାର ।

ଅସଲ କଥା ହେଉଛି, ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ । ହେଲେ ଚଳିତ ଥରର ଏହି ହିଂସାକାଣ୍ଡ ପଛରେ ଜମାତ୍ ସଙ୍ଗଠନର ହାତ ଥିବା କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହିଂସାକାଣ୍ଡ ଏଥର କୋମିଲାରୁ ଆରମ୍ଭ ହୋଇଥିଲା । ଯେଉଁଠି ମାତ୍ର କିଛି ଘଣ୍ଟା ପୂର୍ବରୁ ଜମାତ୍ ମାନେ ଏକ ବଡ ରାଲିର ଆୟୋଜନ କରିଥିଲେ । ତେଣୁ ଏହି ହିଂସାକାଣ୍ଡ ପଛରେ ଜମାତ୍ ସଙ୍ଗଠନର ହାତ ଥିବା କୁହାଯାଉଛି ।

ସେହିପରି ଅଭିଜିତ୍ ମଜୁମଦାରଙ୍କ ଏହି ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସବୁବେଳେ ନିଜକୁ କଟ୍ଟରପନ୍ଥୀଙ୍କ ଠାରୁ ଅଲଗା କରି ରଖିଥାନ୍ତି । ହେଲେ ବାସ୍ତବରେ କିନ୍ତୁ ସେ କଟ୍ଟରପନ୍ଥୀଙ୍କୁ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରିଥାନ୍ତି । ସମୟ ଦେଖି ସେ ତାଙ୍କ ନିଜ ଇଚ୍ଛା ଅନୁସାରେ ତାଙ୍କର ବ୍ୟବହାର କରିବା ସହିତ ରାଜନୈତିକ ଇଚ୍ଛାକୁ ପୂରଣ କରିଥାନ୍ତି । ହେଲେ ହିନ୍ଦୁମାନଙ୍କ ଉପରେ ଏହି ଆକ୍ରମଣ ନେଇ ଏପର୍ଯ୍ୟନ୍ତ ଶେଖ୍ ହସିନା ସେଭଳି କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଯାହା ଏବେ ବାଂଲାଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ଏହି ହିଂସାକାଣ୍ଡ କୋମିଲାରୁ ଆରମ୍ଭ ହୋଇଥିଲା । ଯାହାକି ଏବେ ଉଗ୍ର ରୂପ ଧାରଣ କରିଛି । ତେବେ ଶେଖ୍ ହସୀନା ସରକାର ଏପର୍ଯ୍ୟନ୍ତ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।