କରୋନା ଯୋଦ୍ଧାଙ୍କ ଘର ଉପରେ ପଥର ମାଡ଼, ଜୀବନରୁ ମାରି ଦେବା ଧମକ୍ ଅଭିଯୋଗ: ପୁରୀ ବଳଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିଗୁଳଜ କରିବା ସହ ବ୍ୟାପକ ଭଙ୍ଗାରୁଜା

ଜିଲ୍ଲାପାଳଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଲେ ଡାକ୍ତର

181

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଧମକଚମକ ସହ କୋଭିଡ୍ ସେଂଟର ଭଙ୍ଗାରୁଜା । ଥାନାରେ ଅଭିଯୋଗ ପରେ ବି ପୋଲିସର ହାତ ଖାଲି । ଏପରି ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ବଳଙ୍ଗା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଡାକ୍ତର । ଡାକ୍ତରଙ୍କ ବାପା-ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଓ ବାସଭବନ ଉପରକୁ ରାତି ଅଧରେ ପଥର ମାଡ଼ କରି କିଛି ଦୁର୍ବୃତ ସରକାରୀ ମେଡିକାଲରେ ଥିବା ଓପିଡି ଓ କୋଭିଡ୍ ସେଂଟର ସହିତ ମାଗଣା ଔଷଧ ବିତରଣ କେନ୍ଦ୍ରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ବଳଙ୍ଗା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୧୨ଟି ପଂଚାୟତର ଲୋକ ନିର୍ଭର କରୁଥାନ୍ତି । ଜଣେ ମାତ୍ର ମହିଳା ଡାକ୍ତରଙ୍କ ଉପରେ ପୂରା ଡାକ୍ତରଖାନା ନିର୍ଭର କରିଥାଏ ।

ଅଭିଯୋଗ ଅନୁସାରେ ୧୦ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବଳଙ୍ଗା ସମ୍ଭୁଭାରତୀ ପାଟଣା ଗାଁର ଦୁଇ ଜଣ ବ୍ୟକ୍ତି ଡାକ୍ତରଙ୍କୁ ସାଙ୍ଗରେ ନେଇଯିବା ପାଇଁ ଜିଦ ଧରିଥିଲେ । କାରଣ ଥିଲା, ମୃତ୍ୟୁ ହୋଇଥିବା ଜଣେ ରୋଗୀ ପାଇଁ ଡେଥ୍ ସାର୍ଟିଫିକେଟ କରିବା । ଏତେ ରାତିରେ କାହା ଘରକୁ ଯିବା ପାଇଁ ସଂପୃକ୍ତ ମହିଳା ଡାକ୍ତର ଜଣଙ୍କ ମନା କରି ଦେବାରୁ ଆରମ୍ଭ ହୋଇ ଯାଇଥିଲା ଗାଳିଗୁଲଜ ଓ ଭଙ୍ଗାରୁଜା । କିନ୍ତୁ ବିଡମ୍ବନାର କଥା ହେଉଛି ଅଭିଯୋଗ ହେବା ପରେ ବି ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୁଲିସ । କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଏପରି ବ୍ୟବହାରକୁ ସବୁମହଲରେ ନିନ୍ଦା କରାଯାଇଛି । ଏତଲା ଗ୍ରହଣ କରିବା ପରେ କେବଳ ଦଫା ଲଗାଇ ପୁଲିସ ଚୁପ ହୋଇ ବସି ପଡ଼ିଥିବା ଅଭିଯୋଗ ହୋଇଛି । ଏ ନେଇ ପୁରୀ ସିଡିଏମଓ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା ଡାକ୍ତର ସ୍ୱପ୍ନାରାଣୀ ମହାପାତ୍ର ।