କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ । ସ୍ୱାବ ସଂଗ୍ରହ କରିବାକୁ ଯାଇଥିବା ବେଳେ ଆକ୍ରମଣ ଅଭିଯୋଗ । ଜିଲ୍ଲାପାଳ କହିଲେ, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

524

କନକ ବ୍ୟୁରୋ : କେନ୍ଦ୍ରାପଡାରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ବନ୍ଧୁକ ଦେଖାଇ ଧମକ ଅଭିଯୋଗ । ସ୍ୱାବ ସଂଗ୍ରହ କରିବାକୁ ଯାଇଥିବା ବେଳେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ସହ ଖରାପ ବ୍ୟବହାର କରିଛନ୍ତି ବିଶ୍ୱ ରଞ୍ଜନ ପରିଡା ନାମକ ଯୁବକ । ଏନେଇ ଆଳି ଥାନାରେ ଏତଲା ଦିଆଯାଇଥିବା ବେଳେ ଉକ୍ତ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ପତ୍ରପୁର ଅଞ୍ଚଳରେ ଗତକାଲି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରିବାକୁ ଗୋଟିଏ ଟିମକୁ ପଠାଯାଇଥିଲା । ସ୍ୱାବ ସଂଗ୍ରହ ଚାଲୁଥିବା ବେଳେ ବିଶ୍ୱରଞ୍ଜନ ନାମକ ଯୁବକ ସେଠାରେ ପହଞ୍ଚି ସ୍ୱାବ ସଂଗ୍ରହ କରୁଥିବା କରୋନା ଯୋଦ୍ଧାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ସ୍ୱାବ ସଂଗ୍ରହ ବନ୍ଦ କରିବାକୁ କହି ବନ୍ଧୁକ ଦେଖାଇ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ଉକ୍ତ କରୋନା ଯୋଦ୍ଧା । ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ବିଡ଼ିଓ ଓ ପୋଲିସ ଅଧିକାରୀ ପହଞ୍ଚିଥିଲେ । ଏପରିକି ଉକ୍ତ ଯୁବକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ ।

ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାପୂର୍ବରୁ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ ।