ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତଙ୍କ ଗାଡି ଉପରକୁ ବୋମାମାଡ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

1,790

କନକ ବ୍ୟୁରୋ : ବିଜେଡି ପ୍ରାର୍ଥୀଙ୍କ ଉପରେ ବଡ ଆକ୍ରମଣ । ବିଜେଡିର ଭୁବନେଶ୍ୱର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ବଡ ଆକ୍ରମଣ ହୋଇଛି । ଆଜି ନିର୍ବାଚନ ପ୍ରଚାର ପରେ ଫେରୁଥିବା ବେଳେ ଝାରପଡା କେନାଲ ରୋଡରେ ଅନନ୍ତଙ୍କ ଗାଡି ଉପରେ କିଛି ଦୃବୁର୍ତ୍ତ ଅଚାନକ ଆକ୍ରମଣ କରିଥିଲେ । ଦୁଇଟା ବାଇକରେ ଦୁବୃର୍ତ୍ତ ମାନେ ଆସି ଅନନ୍ତ ଯାଉଥିବା ଗାଡିକୁ ଅଟକାଇବା ପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏପରିକି ଗାଡି ଉପରକୁ ବମ ପକାଇଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ଏହି ଆକ୍ରମଣରେ ଅନନ୍ତ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଅନନ୍ତଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ଅନନ୍ତଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି ।

ଏହାପୂର୍ବରୁ ଆଜି ଭୁବନେଶ୍ୱର ମଧ୍ୟ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବି ବୋମାମାଡ ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଏପରିକି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜଣାଇଥିଲେ । ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ଲଗାତାର ଯେଉଁଭଳି ଭାବେ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଉଛି ତାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।