ଗତକାଲି ବେଙ୍ଗାଲୁରୁରେ ଆୟୋଜିତ ଏକ ସିଏଏ ବିରୋଧୀ ରୢାଲିରେ ଅମୁଲ୍ୟା ନାମ୍ନୀ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିବାରୁ ଆଜି କିଛି ବ୍ୟକ୍ତି ତାଙ୍କ ଘର ଭଙ୍ଗାରୁଜା କରିଛନ୍ତି। ହିନ୍ଦୁ ସମର୍ଥିତ ଏକ ସଂଗଠନର କିଛି ସଦସ୍ୟ ଅମୁଲ୍ୟାଙ୍କ କର୍ଣ୍ଣାଟକର ଚିକ୍କମଗାଲୁର ସ୍ଥିତ ଘରକୁ ପଥର ଫିଙ୍ଗିବା ସହ ଘର ଭଙ୍ଗାରୁଜା କରିଛନ୍ତି। କୋପ୍ପା ପୁଲିସ ପକ୍ଷରୁ କୁହାଯାଇଛି ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment

publive-image

ଅମୁଲ୍ୟାଙ୍କ ପରିବାର ସଦସ୍ୟଙ୍କୁ ଏବେ ପୁଲିସ ସୁରକ୍ଷା ଦିଆଯାଇଛି। ଅମୁଲ୍ୟାଙ୍କ ଦେଶବିରୋଧୀ ସ୍ଲୋଗାନ୍ ପାଇଁ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷେ ଅମୁଲ୍ୟାଙ୍କ ବାପା ଓସଭଲାଡ ନରୋହନା ତାଙ୍କ ଝିଅର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ସାରା ଦେଶକୁ ସେ କ୍ଷମା ମାଗୁଥିବା କହିଛନ୍ତି। ତାଙ୍କ ବାପା କହିଛନ୍ତି , ସେ ତାଙ୍କ ଝିଅକୁ କୌଣସି ଆଇନଗତ ସହଯୋଗ କରିବେନି। ତାଙ୍କ ଝିଅ ଜେଲରେ ରହୁ ବୋଲି ସେ କହିଛନ୍ତି।

 କିନ୍ତୁ ତାଙ୍କ ଝିଅକୁ ଏହି କାର୍ଯ୍ୟ କରିବାପାଇଁ କେହି ଜଣେ ଉସୁକାଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା କହିଛନ୍ତି, ଅମୁଲ୍ୟାଙ୍କୁ ଜାମିନ ନମିଳିବା ଉଚିତ୍। ତାଙ୍କର ମାଓବାଦୀଙ୍କ ସହ ସମ୍ପୃକ୍ତି ଅଛି। ତାଙ୍କୁ ଉଚିତ୍ ଦଣ୍ଡ ମିଳିବା ଉଚିତ୍ ବୋଲି ୟେଦ୍ୟୁରପ୍ପା କହିଛନ୍ତି। ଅନ୍ୟପକ୍ଷେ ଅମୁଲ୍ୟାଙ୍କୁ ଆଜି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଅମୁଲ୍ୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

publive-image