ରେମୁଣା ଥାନା ଭିତରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ଥାନାରେ ପଶି ଯୁବକଙ୍କୁ ପିଟିଲେ, ବୃଦ୍ଧ ବାପାଙ୍କୁ ହାଣିଲେ ।

134

କନକ ବ୍ୟୁରୋ: ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ, ଏଭଳି କିଛି ଖବର ଆସିଛିି ରେମୁଣା ଥାନାରୁ । ମନ୍ଦାରପୁର ଓ ନିଆବାଗ ଗାଁର ଗୋଷ୍ଠୀ ସଂଘର୍ଷର ବିସ୍ଫୋରକ ରୂପ ରେମୁଣା ଥାନାରେ ଦେଖିବାକୁ ମିଳିଛି । ଗୋଷ୍ଠୀ ସଂଘର୍ଷ ପରେ ଘର ଭଙ୍ଗାରୁଜାକୁ ନେଇ ଏତଲା ଦେବା ପାଇଁ ଥାନାକୁ ଯାଇଥିଲେ ମନ୍ଦାରପୁରର ଗୋଟିଏ ପରିବାର । ହେଲେ ଖବର ପାଇ ନିଆବାଗର ଶତାଧିକ ଲୋକ ଥାନାକୁ ଆସି ଥାନାରେ ଭଙ୍ଗାରୁଜା କରିବା ସହ ଅଭିଯୋଗକାରୀଙ୍କୁ ଖଣ୍ଡାରେ ହାଣି ଲହୁ ଲୁହାଣ କରିଛନ୍ତି ।

ନିୟମ କାନୁନର ଭୟ ଯେତେବେଳେ ନଥାଏ, ପୁଲିସକୁ ଯେତେବେଳେ ଦୁର୍ବୃତ୍ତ ଖାତିର କରନ୍ତିନି, ହୁଏତ ଠିକ୍ ସେତେବେଳେ ଏଭଳି କିଛି ଖବର ସାମ୍ନାକୁ ଆସେ । ବାଲେଶ୍ୱର ରେମୁଣା ଥାନାର ଚଟାଣରେ ବିଛାଡି ହୋଇପଡିଛି କାଚର ଟୁକୁଡା । ଥାନା ଭିତରେ ଓ ବାହାରେ ଭଙ୍ଗାରୁଜା । ଥାନା ଭିତରେ ପୁଲିସ ଉପସ୍ଥିତିରେ ଅଭିଯୋଗକାରୀକୁ ଖଣ୍ଡାରେ ହାଣି ଲହୁ ଲୁହାଣ କରିଛନ୍ତି ଦୁର୍ବୃତ୍ତ ।

ରେମୁଣା ଥାନ ମନ୍ଦାରପୁର ଗାଁର ବାଦଲ ସାହୁ, ନିଜ ବାପା ମାଆଙ୍କ ସହ ଅଭିଯୋଗ କରିବାକୁ ଆସିଥିଲେ । ଅଭିଯୋଗ ଥିଲା ପୂର୍ବଶତ୍ରୁତାକୁ ନେଇ ନିଆବାଗର କିଛି ଯୁବକ ବାଦଲଙ୍କ ଘରେ ପଶି ଭଙ୍ଗା ରୁଜା କରିଛନ୍ତି । ଏହି ଖବର ପାଇ ଥାନାକୁ ମାଡି ଆସିଥିଲେ ନିଆବାଗ ଗାଁର ଶତାଧିକ ଯୁବକ । ଥାନାରେ ଧସେଇ ପଶି ଭଙ୍ଗାରୁଜା କରିବା ସହ, ପୁଲିସ ସମ୍ମୁଖରେ ଅଭିଯୋଗକାରୀଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରିଛନ୍ତି । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଏହି ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି । ବାଦଲ ସାହୁଙ୍କ ପରିବାର ଏକ ଏତଲା ଦେଇଥିବା ବେଳେ ରେମୁଣା ପୁଲିସ ନିଜ ଆଡୁ ମଧ୍ୟ ଏକ ମାମଲା ରୁଜୁ କର୍ିଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଅବହେଳା କରୁଥିବା ଅଭିଯୋଗ ଆଣି ରାସ୍ତାରୋକ କରିଥିଲେ ମନ୍ଦାରପୁର ଗ୍ରାମବାସୀ । ପୁଲିସ ଅଧିକାରୀ ବୁଝାସୁଝା କରିବା ପରେ ରାସ୍ତାରୁ ଉଠିଆସି ଥାନା ପରିସରରେ ଧାରଣା ଦେଇଛନ୍ତି । ଉଭୟ ନିଆବାଗ ଓ ମନ୍ଦାରପୁର ଗାଁରେ ଉତ୍ତେଜନା ଲାଗି ରହିଛି ।