ଆସାମ କୋଭିଡ ହସ୍ପିଟାଲରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମାଡ ମାରିଲେ ଉତ୍ୟକ୍ତ ସଂପର୍କୀୟ 

158

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କଲେ ମୃତକଙ୍କ ସଂପର୍କୀୟ । ଡାକ୍ତକଙ୍କୁ ଘେରିଯାଇ ଉତ୍ୟକ୍ତ ସଂପର୍କୀୟ ଥାଳିରେ, ବାଡିରେ ମାଡ ମାରିବା ସହ ଗୋଇଠା ଚାପୁଡା ବର୍ଷା କରିଥିଲେ । ଆସାମ ହୋଜାଇ ଜିଲ୍ଲା ଉଦାଲିର କୋଭିଡ କେୟାର ସେଂଟର ଏହି ବର୍ବର ଦୃଶ୍ୟ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଘଟଣାରେ ସଂପୃକ୍ତ ୨୪ ଜଣଙ୍କୁ ଗିରଫ କରିଛି । ଖୋଦ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଟୁଇଟ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୌହାଟିର ଡାକ୍ତର ସଂଘ । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ହସ୍ପିଟାଲ ବାହାରେ ସଶସ୍ତ୍ର ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଦାବି କରିଛନ୍ତି । ଏଥିସହ ସରକାର ଡାକ୍ତରଙ୍କ ସୁରକ୍ଷା ଦେବା ପାଇଁ କଡା ଆଇନ ଆଣିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ ଡାକ୍ତର ।

ମଙ୍ଗଳବାର ଦିନ କୋଭଡି କେୟାର ସେଂଟରରେ ଗିୟାଜ ଉଦ୍ଦିନ ନାମକ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଏହି ସୂଚନା ଡାକ୍ତର ସୁଏଜ କୁମାର ସେନାପତି ସଂପର୍କୀୟଙ୍କୁ ଦେବା ପରେ ସେମାନେ ରାଗିଯାଇ ଏଭଳି ବର୍ବର ଆକ୍ରମଣ କରିଥିଲେ । ଏବେ ଡାକ୍ତର ସୁଏଜଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।