କନକ ବ୍ୟୁରୋ : ୟୁକ୍ରେନ ବିରୋଧରେ ନିଜ ଆକ୍ରମଣ ଆହୁରି ଜୋରଦାର କରିବାରେ ଲାଗିଛି ରୁଷିଆ । ତୁହାକୁ ତୁହା ବୋମା ମାଡ ଓ ମିସାଇଲ୍ ଆଟାକରେ ଛିନଭିନ୍ ହୋଇଯାଇଛି ୟୁକ୍ରେନ । ଗୋଟିଏ ପଟେ ରାଜଧାନୀ କିଭକୁ ରୁଷ ସାମରିକ ବାହିନୀର ବିରାଟ ପଟୁଆର ମାଡି ଚାଲିଥିବାବେଳେ ସେପଟେ ଅନ୍ୟ ପ୍ରମୁଖ ସହରରେ ବି ରୁଷ ସେନାର ଆତଙ୍କ ଜାରି ରହିଛି । ଖାରକିବ ପରେ ଖାରସନରେ ବି ମିସାଇଲ ଆକ୍ରମଣ କରିଛି ରୁଷିଆ । ଗୋଟିଏ ପଟେ ୟୁକ୍ରେନକୁ ୟୁରୋପୀୟ ସଂଘରେ ସାମିଲ କରିବାକୁ ପ୍ରୟାସ ଜାରି ରହିଛି ସେପଟେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଚେତାଇ ଦେଇଛି ରୁଷିଆ ।
ଉଗ୍ର ହେବାରେ ଲାଗିଛି ୟୁକ୍ରେନ ରୁଷିଆ ଯୁଦ୍ଧ । ତୃତୀୟ ବିଶ୍ୱଯୁଦ୍ଧ ନେଇ ଚେତାବନୀ ଦେଲା ରୁଷିଆ । ୟୁକ୍ରେନ୍ ଉପରେ ଜାରି ରହିଛି ରୁଷର ଆକ୍ରମଣ । ଦିନକୁ ଦିନ ଉଗ୍ରହେବାରେ ଲାଗିଛନ୍ତି ରୁଷ ସେନା । ଗୋଟିଏ ପରେ ଗୋଟିଏ ବଡ ସହରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରୁଷୀୟ ସେନା । ସେନା କାର୍ଯ୍ୟାଳୟ, ସରକାରୀ ଅଟ୍ଟାଳିକାକୁ ଲକ୍ଷ୍ୟ କରି ବୋମା ଓ ମିସାଇଲ ମାଡ କରୁଥିବା ରୁଷ ଏବେ ସାଧାରଣ ଲୋକଙ୍କୁ ନିଜ ଟାର୍ଗେଟ କରୁଛନ୍ତି । ଏବେ ଜନବସତି ଅଞ୍ଚଳକୁ ଟାର୍ଗେଟ କରିବାରେ ଲାଗିଛି ରୁଷୀୟ ସେନା । ସାଧାରଣ ଲୋକଙ୍କ ଘର ଉପରେ କରାଯାଉଛି ବୋମାବର୍ଷା ।
ଆକାଶମାର୍ଗରୁ କ୍ରୁଜ୍ ମିଜାଇଲ୍ ଆକ୍ରମଣ ପରେ ଭୟଙ୍କର ପରିସ୍ଥିତି ହୋଇଛି ଖାରକିଭରେ । ଆକ୍ରମଣ ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଚଳାଇଛି ଉଦ୍ଧାରକାର୍ଯ୍ୟ । ଆହତ ଓ ମୃତକଙ୍କୁ ଆମ୍ବୁଲାନ୍ସରେ ଭରି ନିଆଯାଉଥିବା ଦେଖିବାକୁ ମିଳିଛି । ଭାଙ୍ଗିଯାଇଛି ଘର ଦ୍ୱାର । ପୋଡି ପାଉଁଶ ହୋଇଯାଇଛି ଜିନିଷ ପତ୍ର । ଘର ଆଗରେ ଛିଡା ହୋଇଥିବା ଗାଡି ବି ଯୁଦ୍ଧ ନିଆଁରେ ଜଳିଯାଇଛି ।
ୟୁକ୍ରେନର ଜିଥୋମିର ସହରରେ ରୁଷୀୟ ସେନା ଆକ୍ରମଣରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି ସାରା ଅଞ୍ଚଳ । ଜନବସତି ଅଞ୍ଚଳରେ ରୁଷିଆ ମିଜାଇଲ ଆକ୍ରମଣ କରୁଥିବାରୁ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ଏବେ ବଢିବାରେ ଲାଗିଛି । ୭ମ ଦିନରେ ଯୁଦ୍ଧର ତୀବ୍ରତା ଆହୁରି ବଢିଯାଇଛି । ବୋମାମାଡ କରି ୟୁକ୍ରେନ ଖାରସନ ସହରକୁ ନିଜ ଅଧିନକୁ ନେଇ ରୁଷୀୟ ଆର୍ମି । ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାସେନକୋଭ କହିଛନ୍ତି, ‘ରୁଷ ସାମରିକ ବାହିନୀ ବେଶ ସାହସିକତା ସହ ଖାରସନ ଅଞ୍ଚଳକୁ ଦଖଲ କରିଛି । ପୁରା ସହର ରୁଷୀୟ ସେନା ଅଧିନରେ । ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତୁ ।’
ସେପଟେ ୟୁକ୍ରେନ ଉପରେ ରୁଷ ଆକ୍ରମଣକୁ ୭ଦିନ ହୋଇ ସାରିଲାଣି । ତଥାପି ପଛଘୁଂଚା ଦେଇନି ୟୁକ୍ରେନ ସେନା । ୬ ଦିନରେ ପାଖାପାଖି ୬ହଜାର ରୁଷ ସେନା ପ୍ରାଣ ହରାଇଥିବା ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ।
ୟୁକ୍ରେନ-ରୁଷିଆ ଯୁଦ୍ଧ ଭିତରେ ୟୁକ୍ରେନକୁ ପାଶ୍ଚାତ୍ୟ ଦେଶଗୁଡିକରୁ ଲଗାତାର ଭାବେ ସହାୟତା ମିଳିବାରେ ଲାଗିଛି । ଆମେରିକା, ୟୁରୋପୀୟ ଦେଶ ଗୁଡିକ ନିଜ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ୟୁକ୍ରେନ ପଠାଉଛନ୍ତି । ଆଉ ଯାହାକୁ ବ୍ୟବହାର କରି ଶକ୍ତିଶାଳୀ ପୁଟିନ୍ ବାହିନୀକୁ ଟକ୍କର ଦେବାରେ ସଫଳ ହୋଇଛି ୟୁକ୍ରେନ । ସେପଟେ ଅନ୍ତର୍ଜାତୀୟ ସ୍ତରରେ ରୁଷିଆ ଉପରେ ଲଗାଯାଉଛି ବ୍ୟାପକ କଟକଣା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ପୁଣିଥରେ ରୁଷ ରାଷ୍ଟ୍ରପତିଙ୍କୁ ୟୁକ୍ରେନରୁ ସେନା ଫେରାଇ ନେବାକୁ ଚେତାବନୀ ଦେଇଛନ୍ତି । ଷ୍ଟେଟ୍ ଅଫ୍ ୟୁନିଅନକୁ ସମ୍ବୋଧନ କରିବା ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ଚେତାଇ ଦେଇଛନ୍ତି ବାଇଡେନ୍ ।
ବାଇଡେନ୍ କହିଛନ୍ତି, ‘ୟୁକ୍ରେନ ଉପରେ ରୁଷ ଏକତରଫା ଆକ୍ରମଣ କରିଛି । ସେ ଭାବୁଛନ୍ତି ପାଶ୍ଚାତ୍ୟ ନାଟୋ ମଧ୍ୟ ପ୍ରତିକ୍ରିଆ ଦେଖାଇବ । ସେ ଭାବିଛନ୍ତି ଆମ ଘରକୁ ଭାଙ୍ଗିଦେବେ, ଆମ ଏକତାକୁ ଭାଙ୍ଗିଦେବେ ଆଉ ସେ ଭାବୁଛନ୍ତି ୟୁରୋପକୁ ବି ସେ ଭାଙ୍ଗିଦେବେ । ହେଲେ ପୁଟିନ ଭୁଲ ଭାବୁଛନ୍ତି । ଆମ ଏକତା ଏବେ ବି ଅଖଣ୍ଡ ଅଛି । ଆମେ ପ୍ରସ୍ତୁତ ଅଛୁ । ୟୁରୋପ ପ୍ରସ୍ତୁତ ଅଛି ରୁଷକୁ ଉଚିତ ଜବାବ ଦେବାକୁ । ବର୍ତମାନ ରୁଷ ଯୁଦ୍ଧ କ୍ଷେତ୍ରରେ ବିଜୟ ହାସଲ କରିପାରେ । କିନ୍ତୁ ତାଙ୍କର ଏଭଳି ଆଚରଣ ପାଇଁ ଦୀର୍ଘ ମିଆଦି କ୍ଷେତ୍ରରେ ଅନେକ କିଛି ହରାଇବାକୁ ପଡିବ । ଏନେଇ ଅନେକ ଯୋଜନା ରହିଛି ଆମର । ଆଗକୁ ଯାହା ଘଟିବ ତାହା ରାଷ୍ଟ୍ରପତି ପୁଟିନ୍ କେବେ ବି କଳ୍ପନା କରି ନଥିବେ ।’
ରାଷ୍ଟ୍ରପତି ବାଇଡେନଙ୍କ ଏହି ଧମକ ପରେ ପ୍ରତିକ୍ରିଆ ରଖିଛି କ୍ରେମଲିନ୍ । ରୁଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ କହିଛନ୍ତି, ‘ଯଦି ତୃତୀୟ ବିଶ୍ୱଯୁଦ୍ଧ ହେବ ତାହାଲେ ଏଥିରେ ନିଶ୍ଚିତ ପରମାଣୁ ବୋମାର ବ୍ୟବହାର ହେବ । ଯାହାଦ୍ୱାରା ସମଗ୍ର ବିଶ୍ୱରେ ଧ୍ୱଂସର ତାଣ୍ଡବଲୀଳା ଦେଖାଯିବ ।’