ଅଟା ପାଇଁ ପାକିସ୍ତାନରେ ହାହାକାର । ୭୫ରେ ପହଂଚିଲାଣି କିଲୋ ପିଛା ଦର, ଗୋଟିଏ ରୁଟିର ଦାମ ହେଲାଣି ୧୫ ଟଙ୍କା

215

କନକ ବ୍ୟୁରୋ : ପାକିସ୍ତାନରେ ଅଟା ପାଇଁ ହାହାକାର ଦେଖା ଦେଇଛି । ଦେଶର ବିଭିନ୍ନ ଅଂଚଳରେ ଅଟାର ଦାମ ଆକଶ ଛୁଆଁ ଦରରେ ବିକ୍ରି ହେଉଛି । ଅଟା କିଲୋକୁ ୭୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଗୋଟିଏ ରୁଟିକୁ ୧୫ ଟଙ୍କା ଦେଇ କିଣୁଛନ୍ତି ଲୋକେ । ତେବେ ଉଦବେଗର କଥା ହେଉଛି, ଟଙ୍କା ଦେଲେ ମଧ୍ୟ ସିନ୍ଧ, ଅନ୍ୟ କେତେକ ପ୍ରାନ୍ତରେ ଅଟା ମିଳୁ ନାହିଁ । ଏନେଇ ପାକିସ୍ତାନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଅନେକ ଖବର ସାମ୍ନାକୁ ଆସୁଛି ।

ସୋସିଆଲ ମିଡିଆରେ ଅଟାର ଅଭାବକୁ ନେଇ ଜଣେ ବ୍ୟକ୍ତି କାନ୍ଦି କାନ୍ଦି ନିଜ ଦୁଃଖ ବୟାନ କରୁଥିବା ଦେଖିବାକୁ ମିଳିଛି । ଅଟା ନ ମିଳିବାରୁ କେମିତି ତିନି ଦିନ ହେଲା ପୁରା ପରିବାର ସହ ସେ ଉପାସରେ ଅଛନ୍ତି ତାହା ସେ ବର୍ଣ୍ଣନା କରିଛନ୍ତି । ଡକ୍ଟର ହୁମା ସୈଫ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟୁଇଟରରେ ଏହି ଭିଡିଓକୁ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ପ୍ରମାଣିତ କରୁଛି, ଆତଙ୍କବାଦୀଙ୍କ ପାଇଁ ନିଜ ରାଜକୋଷ ଖୋଲିଦେଉଥିବା ପାକିସ୍ତାନ ସରକାର କିପରି ନିଜ ନାଗିରକଙ୍କ ମୌଲିକ ସୁବିଧା ଖାଦ୍ୟ ପାଇଁ ଉଦାସୀନ ରହୁଛି ।