କନକ ବ୍ୟୁରୋ : ଶ୍ରୀମନ୍ଦିରରେ ବନକଲାଗି ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ନିଳାଦ୍ରୀ ବିଜେର ୨୫ ଦିନ ପରେ ବି ବନକଲାଗି ନିତି ହୋଇପାରିନାହିଁ । ଶ୍ରୀମନ୍ଦିର ପ୍ରଶାସନ ଦତ୍ତ ମହାପାତ୍ର ନିଯୋଗକୁ ଆଜି ବନକଲାଗି ନୀତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବନକଲାଗି ନୀତି ନକଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଏହା ସହ ବିକଳ୍ପ ବ୍ୟବସ୍ଥା କରିବାକୁ ବି କହିଛି ଶ୍ରୀମନ୍ଦିର ପ୍ରଶାସନ ।
ଯଦି ଦତମହାପାତ୍ର ବନକଲାଗି ନୀତି ନକରନ୍ତି ତେବେ ଦଇତାପତିଙ୍କ ଜରିଆରେ କରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ସୂଚନା ମଳିଛି । ଗତ ୧୯ ତାରିଖରେ ଦତ୍ତ ମହାପାତ୍ରଙ୍କୁ ଠାକୁରଙ୍କ ବନକଲାଗି କରିବାକୁ ନିର୍ଦ୍ଦେଶ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଦତ୍ତ ମହାପାତ୍ର ନିଯୋଗ ଏହା କରିନଥିଲେ । ଏଥିପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଜବାବରେ ନିଯୋଗ ପକ୍ଷରୁ ଦାଖଲ ଉତ୍ତର ସନ୍ତୋଷଜନକ ନଥିଲା । ଏହାପରେ ପୁଣିଥରେ କାଲି ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି ।
ପ୍ରତିବର୍ଷ ନୀଳାଦ୍ରି ବିଜେ ପରେ ପରେ ରତ୍ନ ସିଂହାସନର ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି ଅନୁଷ୍ଠିତ ହୋଇଥାଏ । ପୂର୍ବରୁ ଗୁରୁବାର ବନକଲାଗି ହୋଇ ଆସୁଥିଲେ ବି ୨୦୧୮ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ବୁଧବାର ବନକଲାଗି ହୋଇ ଆସୁଛି । ଇଥିମଧ୍ୟରେ ୫ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ବି ନୀଳାଦ୍ରି ବିଜେ ପରେ ପରେ କେବେ ବନକଲାଗି ଗୁରୁବାରରେ ହେବ କି ବୁଧବାରରେ ହେବ, ତାକୁ ନେଇ ବିବାଦ ଦେଖାଦେଇନଥିଲା । କିନ୍ତୁ ଚଳିତବର୍ଷ ନୀଳାଦ୍ରି ପରେ ଏହି ବିବାଦ ଅଡ଼ୁଆ ସ୍ଥିତି ସୃଷ୍ଟିକରିଛି ।
ଦତ୍ତ ମହାପାତ୍ର ସେବକ ସଂଜୟ ଦତ୍ତ ମହାପାତ୍ର କହିଛନ୍ତି, ବନକଲାଗି କରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଆମକୁ ଅବଗତ କରିବା କଥା। କାରଣ ବନକଲାଗି ପାଇଁ ଦିନକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼େ। କଇଁଥ ଅଠାକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ଗୁଣ୍ଡ କରି ବନକଲାଗି ରଙ୍ଗ ପ୍ରସ୍ତୁତ କରିବାକୁ ପଡ଼େ। ଏଥିପାଇଁ ସମୟ ଆବଶ୍ୟକ। କିନ୍ତୁ ହଠାତ୍ ବୁଧବାର ବନକଲାଗି କରିବାକୁ କହିଲେ, ଆମେ କିପରି କରିବୁ । ଆମେ ଗୁରୁବାର ବନକଲାଗି କରିବାକୁ ସ୍ବତ୍ବଲିପିରେ ଉଲ୍ଲେଖ ଥିବା ବାରମ୍ବାର କହି ଆସୁଛୁ ଓ ସେହି ଆଧାରରେ ଗୁରୁବାର ବନକଲାଗି କରିବାକୁ ଦାବି କରିଆସୁଛୁ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି କରିବାକୁ ଚାହୁଛି। ଯଦି ବୁଧବାର ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚାହୁଛି, ଆମକୁ ଚିଠି କରିବା କଥା। ସେଭଳି କିଛି ଚିଠି କରାଯାଇନି ।