‘ଆତ୍ମା’ କରିବ ଟିକେଟ ଚେକିଂ : ଭୁବନେଶ୍ୱର ରେଳ ଷ୍ଟେସନରେ କରାଗଲା ଶୁଭାରମ୍ଭ

57

କନକ ବ୍ୟୁରୋ : କୋଭିଡ୍‌ ସମୟରେ ରେଳଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା, ଯାତ୍ରୀ ଓ କର୍ତ୍ତବ୍ୟରତ ରେଳ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏଥିସହ ରେଳ ଷ୍ଟେସନ୍‌ରେ କେବଳ ଅଧିକୃତ ଯାତ୍ରୀ ପ୍ରବେଶ କରୁଛନ୍ତି କି ନାହିଁ, ତାହାର ସଠିକ୍‌ ଯାଞ୍ଚର ଆବଶ୍ୟକତା ରହିଛି। ତାହାକୁ ନଜରରେ ରଖି ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକ୍ସେସ୍ ବ୍ୟବସ୍ଥା ସ୍ଥାପନ କରାଯାଇଛି।

ଏଟିଏମ୍ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ଏକ ମେସିନ୍‌, ଯାହାକି ଯାତ୍ରୀଙ୍କ ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ । ଏହି ମେସିନ୍‌ର ଚାରୋଟି ବୈଶିଷ୍ଟ୍ୟ ରହିଛି । ଟ୍ରେନ୍ ଟିକେଟ୍‌ର କ୍ୟୁଆର୍‌ କୋଡ୍ ସ୍କାନ୍ କରିବା ପାଇଁ ବାର୍‌କୋଡ୍‌ ସ୍କାନର୍, ଯାତ୍ରୀ ପିଏନ୍‌ଆର୍ ନମ୍ବର କହିବା ପାଇଁ ଗୋଟିଏ ସ୍ପିକର୍‌, ଯାତ୍ରୀଙ୍କ ଶରୀରର ତାପମାତ୍ରା ମାପିବା ପାଇଁ ଏକ ତାପମାତ୍ରା ସ୍କାନର୍ ଓ ଯାତ୍ରୀ ମାସ୍କ ପିନ୍ଧିଛନ୍ତି କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ଏକ କ୍ୟାମେରା ଲାଗିଛି। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀଙ୍କଠାରୁ ଏକ ନିରାପଦ ଦୂରତ୍ବରୁ ସମସ୍ତ ଚାରୋଟି ପାରାମିଟରକୁ ଯାଞ୍ଚ କରିପାରିବେ । ଏହାଦ୍ବାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନ୍‌ରେ ପ୍ରବେଶ କରିପାରିବେ ଏବଂ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିକୁ ରୋକା ଯାଇପାରିବ ।

କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଯୋଜନା ଅନ୍ତର୍ଗତ ପାରାଦୀପ ଫସ୍‌ପେଟ୍ ଲିମିଟେଡ୍ଦ୍ବା ରା ଭୁବନେଶ୍ବର ରେଳ ଷ୍ଟେସନରେ ଏହି ଏଟିଏମ୍ଏ ବ୍ୟବସ୍ଥା ହୋଇଛି। ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ବାରା ପୁରୀ ରେଳ ଷ୍ଟେସନ୍‌ରେ ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଭିସା ଷ୍ଟିଲ ଲିମିଟେଡ୍‌ ଦ୍ବାରା ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେସନ୍‌ରେ ସ୍ଥାପନ କରାଯିବ। ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟ୍‌-ଅପ୍‌ ସହ ପରାମର୍ଶ କରି ଖୋର୍ଧାରୋଡ୍‌ ମଣ୍ଡଳ ଏହି ଅଭିନବ ଯୋଜନା ଗ୍ରହଣ କରିଛି।