ଏଟିଏମରେ ସଟର ପଡ଼ିଛି, ସାବିତ୍ରୀ ବ୍ରତ ପାଇଁ ଚିନ୍ତା ବଢ଼ୁଛି !

32

କନକ ବ୍ୟୁରୋ : ରାତି ପାହିଲେ ସାବିତ୍ରୀ । ଏଥିପାଇଁ ଚଳଚଂଚଳ ବଜାର । ଲୁଗା, ଫଳମୂଳ କିଣିବା ପାଇଁ ବଜାରରେ ଗ୍ରାହକଙ୍କ ଖଚାଖଚ ଭିଡ । ଆଉ ଏତିକି ବେଳେ ଏଟିଏମ କାଉଣ୍ଟରରେ ଟଙ୍କା ନଥିବାରୁ ବନ୍ଦ ହୋଇଛି । ରାଜ୍ୟର କେତେକ ଏଟିଏମ କାଉଂଟରରେ ଅଧା ସଟର ପଡିଥିବା ବେଳେ କେତେକ କାଉଂଟର ପୁରା ବନ୍ଦ । ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ଏଟିଏମ୍ କାଉଂଟରରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ସମଗ୍ର ରାଜ୍ୟରେ ଲାଗି ରହିଛି । ଖାସକରି ଯାଜପୁର ଓ ଅସ୍ତରଙ୍ଗର ଚିତ୍ର ଦେଖିଲେ ଏଟିଏମର ଦୂରବସ୍ଥାର ସର୍ମ୍ପକରେ ଜାଣିପାରିବେ ।

ଗୋଟିଏ ପଟେ ଏଟିଏମରେ ପଯ୍ୟାପ୍ତ ଟଙ୍କା ଥିବା ନେଇ କେନ୍ଦ୍ର ସରକାର ବାହାସ୍ପୋଟ ମାରୁଛନ୍ତି । କିନ୍ତୁ ରାଜ୍ୟରେ ଏଟିଏମ ଅବସ୍ଥା ଦେଖିଲେ  ଆପଣ ମୁଣ୍ଡରେ ହାତ ଦେବେ । ଯାଜପୁର ସହରରେ ପାଖାପାଖି ହୋଇ ରହିଛି ଏସବିଆଇ ଓ ଆକ୍ସିସ୍ ବ୍ୟାଙ୍କ ଏଟିଏମ । ଲୋକ ହସ ହସ ମୁହଁରେ ଏଟିଏମ ଯାଉଛନ୍ତି କିନ୍ତୁ ଏଟିଏମରୁ ବାହାରିବା ବେଳେ ମୁହଁ ଶୁଖାଇ ଫେରୁଛନ୍ତି । କାରଣ ଦୁଇଟି ଯାକ ଏଟିଏମ କାଉଂଟରରେ ଅଧା ସଟର ପଡିଛି । କେବଳ ଏହି ଦୁଇଟି ଏଟିଏମ ନୁହେଁ ସହରର ସମସ୍ତ ଏଟିଏମରେ ଏଭଳି ଅବସ୍ଥା । । ଏଟିଏମ ଆଗରେ ଠିଆ ହୋଇଛନ୍ତି ସିକ୍ୟୁରିଟି ଗାର୍ଡ । ଆଉ ଏଟିଏମ ଭିତରକୁ ଯାଉଥିବା ଗ୍ରାହକ ଟଙ୍କା ଉଠାଇ ନପାରି ନିରାଶରେ ଫେରୁଛନ୍ତି । ଏଭଳି ଅବସ୍ଥା ଆଜିର ନୁହେଁ ୪ ଦିନ ହେଲାଣି ଏଟିଏମ ଖାଲି ପଡିଛି । ଘରୋଇ ବ୍ୟାଙ୍କର ଏଟିଏମରେ ତ ଟଙ୍କା ନାହିଁ, ଏସବିଆଇ ଏଟିଏମରେ ବି ଟଙ୍କା ନଥିବାରୁ ଗ୍ରାହକ ବିରକ୍ତି ପ୍ରକାଶ କରିଛନ୍ତି । ସେପଟେ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ଉପରିସ୍ଥ ଅଧିକାରୀ ।

ଅନ୍ୟପଟେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ ମଧ୍ୟ ଏଟିଏମରେ ଅଚଳାବସ୍ଥା । ଦିନେ କି ଦୁଇ ଦିନ ନୁହେଁ ୨ ମାସ ହେଲାଣି ବନ୍ଦ ହୋଇପଡିଛି ଏଟିଏମ । ମଙ୍ଗଳବାର ସାବିତ୍ରୀ ବ୍ରତ ଥିବା ବେଳେ କିଣାକିଣି ପାଇଁ ବଜାର ଗହଳଚହଳ ଥିବା ବେଳେ ଏଟିମଏକୁ ଯାଇ ନିରାଶ ହେବାକୁ ପଡିଛି । ବିଶେଷ କରି ସହରରେ ଥିବା ଏସବିଆଇ, ଆଇଡିବିଆ, ଆକ୍ସିସ ଓ ୟୁନିୟନ ବ୍ୟାଙ୍କ ଏଟିଏମ ଖୋଲା ଅଛି ହେଲେ ଟଙ୍କା ନାହିଁ ।ସାରା ସହରରେ ଛତୁ ଫୁଟିଲା ଭଳି ଖୋଲିଛି ଏଟିଏମ କାଉଂଟର । ସରକାର ବିମୁଦ୍ରାକରଣ ପରେ କହିଲେ ଏଟିଏମରେ ଆବଶ୍ୟକ ମୁତାବକ ଟଙ୍କା ମହଜୁଦ ରହିବ । ହେଲେ ଗଲା ୨ ମାସ କୌଣସିବି ଏଟିଏମ କାଉଣ୍ଟରରେ ଟଙ୍କା ନଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି ।