ଭୁବନେଶ୍ୱରର ହାଇ ପ୍ରୋଫାଇଲ ଏଟିଏମ୍ ଲୁଟର ପର୍ଦ୍ଦାଫାସ । ଚୋରି ଟଙ୍କାରେ ଦାମି ଗାଡିରେ ବୁଲୁଥିଲେ, ହୋଟେଲରେ ରହୁଥିଲେ । ସିସିଟିଭି ଟ୍ରାକରୁ ଧରାପଡିଲେ ସିରିଜ୍ ଲୁଟର ମାଷ୍ଟରମାଇଣ୍ଡ ।

402

କନକ ବ୍ୟୁରୋ : ଧରାପଡିବା ପରେ ଚୋର କହିଲା ଚୋରୀର କାହାଣୀ । କେବଳ ଏତିକି ନୁହେଁ କ୍ୟାମେରା ସାମ୍ନାରେ କଲା ଅଭିନୟ । ଏଟିଏମ୍ ଭିତରୁ ଟଙ୍କା ଚୋରୀ ବେଳେ ଧରାପଡିବା ପରେ ନିଜକୁ ଭଦ୍ର ଲୋକ ବୋଲି ସଫେଇ ଦେବା ସହ ଦୁଇ ହାତ ଯୋଡି ନିରୀହ ଭଳି ଆଚରଣ କରୁଥିଲା । ହରିୟାଣାର ନୁ ଜିଲ୍ଲାର କିଫାୟତ ଆଉ ତାର ସହଯୋଗୀର ଲୁଟର ତରିକା ସମ୍ପୂର୍ଣ୍ଣ ଭିନ୍ନ । ଦାମୀ ହୋଟେଲରେ ରହି ଏସୟୁଭି କାରରୁ ଓହ୍ଲାଇ ଏଟିଏମ୍ ଲୁଟୁଥିଲେ । ଟଙ୍କା ଲୁଟିବା ପରେ ଉଭାନ ହୋଇଯାଆନ୍ତି ।

ଚୋର କହୁଛି ଚୋରୀର କାହାଣୀ । ଲୁଟ୍ କରି ଧରାପଡିବା ପରେ କ୍ୟାମେରା ସାମ୍ନାରେ ଅଭିନୟ । ଦେଖିବାକୁ ବେଶ୍ ସାଦାସିଧା ଆଉ ବେଶ ପୋଷାକ ସମ୍ଭ୍ରାନ୍ତ ଶ୍ରେଣୀର ଲାଗୁଥିଲେ ବି ଏମାନେ ଜଣେ ଜଣେ ଧୁରନ୍ଧର ଚୋର । ଏଟିଏମ୍ ଭିତରୁ ଟଙ୍କା ଚୋରୀ ବେଳେ ଧରାପଡିବା ପରେ ନିଜକୁ ଭଦ୍ର ଲୋକ ବୋଲି ସଫେଇ ଦେଉଛି । ଦୁଇ ହାତ ଯୋଡି ଅତି ନିରୀହ ଭଳି ଆଚରଣ କରୁଥିବା ଏହି ଭିଡିଓ ହେଉଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧିନ ବଢେଇବାଙ୍କ ଛକରେ ଥିବା ଏସବିଆଇ ଏଟିଏମ ଭିତରର ଦୃଶ୍ୟ ।

ଏହି ଅଭିଯୁକ୍ତ ହେଉଛି ହରିୟାଣାର ନୁ ଜିଲ୍ଲାର କିଫାୟତ । ଆଉ ଏହାର ଆଉ ଜଣେ ସହଯୋଗୀ ହେଉଛି ମହମ୍ମଦ ସଲମାନ । ଏମାନଙ୍କ ଲୁଟର ତରିକା ସମ୍ପୁର୍ଣ୍ଣ ନିଆରା । ଦାମୀ ହୋଟେଲରେ ରହିବା ବାବୁ ଭଳି ଗେଟ ଅପରେ ଏସୟୁଭି କାରରୁ ଓହ୍ଲାଇ ଏଟିଏମ ଲୁଟିବା । ପ୍ଲାନ ମୁତାବକ ଗ୍ୟାଙ୍ଗର ଦୁଇ ସଦସ୍ୟ ଏଟିଏମ ଭିତରକୁ ପଶି ନିଜର ଅପରେସନ ଜାରି ରଖନ୍ତି । ଆଉ ବାକି ସଦସ୍ୟ ଗାଡି ଧରି ବାହାରେ ଠିଆ ହୋଇଥାନ୍ତି । ଟଙ୍କା ଲୁଟିବା ପରେ ଉଭାନ ହୋଇଯାଆନ୍ତି ।

ଏମାନେ ପୁରୀରୁ ସିରିଜ ଲୁଟ କରିବା ପରେ ପୁରୀ ପୋଲିସ ପାଇଁ ସାଜିଥିଲେ ମୋଷ୍ଟ ୱାଂଟେଡ୍ । ପରେ ଟାର୍ଗେଟ କରିଥିଲେ କଟକକୁ । ଗତ ୨୪ ତାରିଖରେ କଟକରୁ ସିରିଜ ଲୁଟ କରିବା ପରେ ସେମାନେ ଭୁବନେଶ୍ୱର ମୁହାଁ ହୋଇଥିଲେ । ପୁରୀ ଏବଂ କଟକ ପରେ ପୋଲିସ ସ୍କାନରେ ଥିବା ଏହି ଗ୍ୟାଙ୍ଗ୍ର ଗତିବିଧି ଉପରେ ନଜର ରଖିଥିଲା ଟିଏସଆଇର ସର୍ଭିଲାନ୍ସ ଟିମ୍ । ବିିଭିନ୍ନ ଜିଲ୍ଲାରେ ସିରିଜ ଲୁଟ କରି ଫେରାର ଥିବା ଏହି ଲୁଟେରାମାନଙ୍କ ଫଟୋକୁ ସମସ୍ତ ଟିଏସଆଇ ମୁଖ୍ୟାଳୟକୁ ପଠାଯାଇଥିଲା । ଏମାନଙ୍କୁ ଧରିବା ପାଇଁ ଟିଏସଆଇ ପକ୍ଷରୁ ଗୋଟିଏ ଟିମ୍ ଗଠନ କରାଯାଇଥିଲା ।

ଚାରି ଜଣିଆ ଟିମ କଟକ, ଭୁବନେଶ୍ୱର ଏବଂ ପୁରୀରେ ଥିବା ସମସ୍ତ ଏସବିଆଇ ଏଟିଏମ ଉପରେ ନଜର ରଖିଥିଲେ । ଆଉ ଏଟିଏମ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଚେହେରା ସହିତ ଲୁଟେରାଙ୍କ ଫଟୋ ସହ ମେଳ କରାଯାଉଥିଲା । ଲୁଟେରାମାନେ ଭୁବନେଶ୍ୱରରେ ନିଜର ଅପରେସନ ଆରମ୍ଭ କରିଦେଇଥିଲେ । ପ୍ରଥମେ ଜୟଦେବ ବିହାର, କଳ୍ପନା ଛକ, ଓଲ୍ଡ ଟାଉନର ରଥ ରୋଡ ଆଦି ଏଟିଏମରୁ ସିରିଜ ଲୁଟ କରିଥିଲେ । ଆଉ ଶେଷରେ ବଢେଇବାଙ୍କ ଛକରେ ଥିବା ଏଟିଏମ ଭିତରକୁ ପଶି ଲୁଟ ବେଳେ ଘଟଣା ସ୍ଥଳରେ ପହଂଚି ଯାଇଥିଲା ଟିଏସଆଇ । ଖସି ଯାଇଥିଲା ଏସୟୁଭି କାର ଆଉ ଧରାପଡିଯାଇଥିଲେ ଲୁଟେରା ଗ୍ୟାଙ୍ଗ ।

ରାତି ଅଧରେ ପୁଲିସ ହାତରୁ ବର୍ତ୍ତି ଯାଇଥିବା ଅପରାଧୀ ପଛରେ ଏବେ କମିଶନରେଟ ପୁଲିସ । ସୂଚନା ଅନୁସାରେ ଅଭିଯୁକ୍ତ ଯେଉଁ ନାଲି ଗାଡିରେ ଆସି ଲୁଟ କରୁଥିଲେ, ତାହା ପୁଲିସ କବଜାକୁ ଆସିସାରିଛି । ୩୦ ରୁ ଅଧିକ ଏଟିଏମରୁ କୋଟି କୋଟି ଲୁଟ କରିଥିବା ଏହି ଅପରାଧୀଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଉପରେ ଏବେ ପୁଲିସର ନଜର ରହିଛି ।