ବିଶ୍ୱ ଭ୍ରମଣ ନିଶାରେ ଲୁଟୁଥିଲେ ଏଟିଏମ୍ । ଗୋଟିଏ ରାଜ୍ୟରୁ ଲୁଟ୍ ପରେ ବିମାନ ଯୋଗେ ପଳାଉଥିଲେ ଅନ୍ୟ ରାଜ୍ୟକୁ । ନିଶା ଓ ପେଶାକୁ ସଠିକ୍ ଢଙ୍ଗରେ ଚଳାଇବାକୁ କରିଥିଲେ ଏମିତି ଯୋଜନା

243

କନକ ବ୍ୟୁରୋ : କିଛି ଲୋକ ଖାଇବାକୁ ନପାଇ ଚୋରୀ କରନ୍ତି ତ କେହି ଶ୍ରମକରି ବଂଚିବାକୁ ନାପସନ୍ଦ କରି ଚୋରି କରନ୍ତି । କେହି କେହି ବିଭିନ୍ନ ପରିସ୍ଥିତିରେ ପଡି ଚୋରୀ କରିବାକୁ ବାଧ୍ୟ ହୋଇଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨ ଜଣ ଯୁବକ ବିଶ୍ୱ ଭ୍ରମଣ କରିବାକୁ ଚୋରି କରୁଛନ୍ତି । ଆଉ ଏହି ଚୋର ମାନେ ଚୋରୀ କରିବାକୁ ବିଭିନ୍ନ ଦେଶ ଓ ରାଜ୍ୟକୁ ଉଡାଜାହଜରେ ଯାଇଥା’ନ୍ତି । ଏଭଳି ୨ ଜଣ ଚୋରଙ୍କୁ ଠାବ କରିଛି ଭୁବନେଶ୍ୱର କମିଶନରେଟ୍ ପୋଲିସ ।
ଭୁବନେଶ୍ୱର ଇନ୍ପୋସିଟି ଅଧିନରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ କିଛିଦିନ ତଳେ କିଛି ଚୋର ଏଟିଏମ୍ କୁ କାଟି ତା ମଧ୍ୟରେ ଥିବା ୨୮ ଲକ୍ଷ ଟଙ୍କା ଚୋରୀ କରିନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ପୋଲିସକୁ କିଛି ସଫଳତା ମିଳିନଥିଲା । ଏହା ପରେ ଠିକ୍ ସମାନ ଢଙ୍ଗରେ ବିଶାଖପାଟଣାରେ ଏକ ଏଟିଏମ୍ ରୁ ଚୋରୀ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ଚୋର ମାନେ । ଏହା ପରେ ଭୁବନେଶ୍ୱର କମିଶନରେଟ୍ ପୋଲିସ ବିଶାଖାପାଟଣା ପୋଲିସ ସହିତ ଯୋଗା ଯୋଗ କରି ଏହି ଚୋର ମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।
ଗିରଫ୍ ହୋଇଥିବା ଡକାୟତି ଗ୍ୟାଙ୍ଗର ଏହି ଦୁଇ ଚୋର ହେଉଛନ୍ତି ପଞ୍ଜାବର ସମରଜିତ୍ ସିଂ (୩୫) ଓ କେରଳର ଜାଫର ସିଦ୍ଦିକ୍ (୨୮)
ଏହି ୨ ଜଣ ଡକାୟତ ଓଡିଶା ସମେତ ବେଙ୍ଗାଲୁର, ହାଇଦ୍ରାବାଦ, ବିଶାଖାପାଟଣା ଓ ଦିଲ୍ଲୀର ବିଭିନ୍ନ ଏଟିଏମରୁ ଲୁଟ୍ କରିଥିଲେ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଡ.ସୁଧାଂଶୁ ଷଡଙ୍ଗୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଚୋରୀ କରିବା ପରେ ଏହି ୨ ଜଣ ଯୁବକ ବିଜୁପଟ୍ଟନାୟକ ଏୟାରପୋର୍ଟରୁ ବିମାନ ଯୋଗେ ଦିଲ୍ଲୀ ପଳାଇଥିଲେ । ସେଠାରୁ ସେମାନେ ପୁଣି ଚଣ୍ଡିଗଡ ପଳାଇଥିଲେ । ସେଠାରେ ଏକ ଏଟିଏମରୁ ଚୋରି କରିବା ପରେ ବିମାନ ଯୋଗେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ବିମାନବନ୍ଦର ପୋଲିସ ତାଙ୍କୁ ଗିରଫ୍ କରିଥିଲା ।
ସେମାନଙ୍କୁ ରିମାଣ୍ଡ ଅଣାଯିବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଓଡିଶାରେ ଏତେ ବଡ ଧରଣର ଏଟିଏମ ଡକାୟତି ଆଗରୁ କେବେ ହୋଇ ନଥିଲା । ସେମାନେ ଯେଉଁ ଧରଣର ଚୋରୀ କରିଥିଲେ ସେଥିରୁ ସ୍ପଷ୍ଟ ହୋଇଥିଲା କି ଏହା ଏକ ଅନ୍ତର୍ଜାତୀୟ ଡକାୟତି ଗ୍ୟାଙ୍ଗର କାରନାମା । ହେଲେ ସେମାନେ କିଛି ସୁରାଗ ଛାଡି ଯାଇନଥିଲେ । ଏହାପରେ ଏହି ମାମଲାର ତଦନ୍ତ ସ୍ପେଶାଲ ସ୍କ୍ୱାର୍ଡକୁ ପ୍ରଦାନ କରାଯାଇଥିଲା । ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ଏହାର ତଦନ୍ତ କରୁଥିବା ବେଳେ ଚୋର ମାନଙ୍କୁ ବିଶାଖପାଟଣାରେ ସେମାନଙ୍କୁ ଠାବ୍ କରିଥିଲେ ।
ଏହାପରେ ପୋଲିସ ସେଠାରୁ ତାଙ୍କୁ ଗିରଫ୍ କରି ଓଡିଶାକୁ ଆଣିବା ପରେ ସେମାନଙ୍କ ଠାରୁ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ଦୁଇ ଯୁବକ ଖାଇବା ପାଇଁ କି ନିଜ ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଚୋରୀ କରୁ ନଥିଲେ । ସେମାନଙ୍କ ମୁଣ୍ଡରେ ବିଶ୍ୱ ଭ୍ରମଣ କରିବାର ନିଶା ଚଢିଥିଲା । ସେଥିପାଇଁ ଆବଶ୍ୟକ ଥିଲା ଅନେକ ଟଙ୍କା । ଏହି ଟଙ୍କା ଯୋଗାଡ କରିବାକୁ ସେମାନେ ଉପାୟ ଖୋଜୁଥିବା ବେଳେ ଏଟିଏମ୍ ଲୁଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ମାଧ୍ୟମରେ ସେମାନେ ଗୋଟିଏ ଏଟିଏମ୍ ଲୁଟ୍ କରିବା ପରେ ସେଠାରୁ ପାଉଥିବା ଟଙ୍କାକୁ ସେମାନେ ଉଡାଜାହଜରେ ଭ୍ରମଣ କରି ଅନ୍ୟ ସ୍ଥାନରେ ପହଂଚିଯାଉଥିଲେ । ଯେଉଁଠାରେ ପହଂଚୁଥିଲେ ସେଠାରୁ ପୂୁଣି ଏଟିଏମ୍ ଲୁଟ୍ କରି ବିମାନ ଯୋଗେ ଅନ୍ୟ ସ୍ଥାନକୁ ପଳାଉଥିଲେ । ଏହା ଦ୍ୱାରା ସେମାନଙ୍କର ଟଙ୍କା ଯୋଗାଡ ହେଉଥିବା ବେଳେ ବିଶ୍ୱ ଭ୍ରମଣର ଆଶା ବି ପୂରଣ ହେଉଥିଲା ।