ରାଉରକେଲାରେ ଧରାପଡିଲା ଏଟିଏମ ଲୁଟେରା : ବର୍ଷେ ଭିତରେ ୪ଟି ଏଟିଏମରୁ ମରାମତି ନାଁରେ ଲୁଟିଥିଲା ୩୪ ଲକ୍ଷ

144

କନକ ବ୍ୟୁରୋ : ରାଉରକେଲାରେ ପୋଲିସ କବଜାରେ ଏଟିଏମ ଲୁଟେରା । ୩୪ ଲକ୍ଷ ଟଙ୍କା ହଡପ କରିଥିବା ଜଣେ ଏଟିଏମ ଲୁଟେରାକୁ କାବୁ କରିଛି ରାଉରକେଲା ପୋଲିସ । ଗିରଫ ଲୁଟେରା ହରିଶ୍ଚନ୍ଦ୍ର ଦାଶ ଏବଂ ସେ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଘରୋଇ ସଂସ୍ଥା ରାଇଟରସ ପ୍ରାଇଭେଟ୍ ଲିମିଟେଡର ଜଣେ ବୈଷୟିକ କର୍ମଚାରୀ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ଏଟିଏମରେ ଟଙ୍କା ଭର୍ତ୍ତି କରୁଥିବା ଅନ୍ୟ ଜଣେ କର୍ମଚାରୀଙ୍କୁ ହାତ କରି ଏହି ଠକେଇ କରୁଥିଲେ ।

ଏଟିଏମରେ କୌଣସି ତ୍ରୁଟି ଦେଖା ଦେଲେ ଏହାକୁ ସୁଧାରିବା ଦାୟିତ୍ୱ ଥିଲା ତାଙ୍କ ହାତରେ । ଚଂଚକତା କରି ପାସୱାର୍ଡ ହାସଲ କରି ସେ ଏକ ବର୍ଷ ଧରି ରାଉରକେଲାର ୪ଟି ଏଟିଏମରୁ ପ୍ରାୟ ୩୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ରାଉରକେଲାର ସେକ୍ଟର ୧୯, ସେକ୍ଟର ୭ ଏବଂ ଛେଂଡ୍ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ରାଉରକେଲା ସେକ୍ଟର ୭ ପୋଲିସ ଏଟିଏମ ଲୁଟେରା ହରିଶ୍ଚନ୍ଦ୍ରକୁ ଗିରଫ କରିଛି । ରିମାଣ୍ଡରେ ଆଣି ତା ଠାରୁ ଅଧିକ ତଥ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି ରାଉରକେଲା ଏସପି ।