ଏଟିଏମ୍ କାର୍ଡରେ ମିଳେ ଫ୍ରି ଇନ୍ସ୍ୟରାନ୍ସ । ଦୁର୍ଘଟଣାରେ ମୃତ୍ୟୁ ହେଲେ ପାଇପାରିବେ ୫ ଲକ୍ଷ

508

କନକ ବ୍ୟୁରୋ: ଆଜିର ଦିନରେ ସମସ୍ତଙ୍କ ହାତରେ ରହିଛି ଏଟିଏମ୍ କାର୍ଡ । ଟଙ୍କା ଉଠାଇବାଠୁ ଆରମ୍ଭ କରି, ଟଙ୍କା ଡିପୋଜିଟ୍, ଟଙ୍କା ଟ୍ରାନ୍ସଫର; ସବୁ କ୍ଷେତ୍ରରେ ଏବେ ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି ପ୍ରତିଟି ଜନସାଧାରଣ । ହେଲେ ଆପଣ ଜାଣିଛନ୍ତି କି? ଆପଣଙ୍କ ଏଟିଏମ୍ କାର୍ଡରେ ଆପଣଙ୍କ ପାଇଁ ରହିଛି ବୀମା ସୁରକ୍ଷା । ଯାହା ଦୁର୍ଘଟଣାଜନିତ ମୃତ୍ୟୁରେ ଜଣେ ହିତାଧିକାରୀର ପରିବାରକୁ ଦେଇଥାଏ ଅନେକ ସୁବିଧା ଆଉ ଅନେକ ଲାଭ ।

ଏଟିଏମ୍ କାର୍ଡକୁ ଲୋକମାନେ କେବଳ ଟଙ୍କା ଉଠେଇବା କାମରେ ହିଁ ବ୍ୟବହାର କରିଥାନ୍ତି । ହେଲେ ଏହି କାର୍ଡରେ ସେମାନଙ୍କୁ ଦୁର୍ଘଟଣାଜନିତ ବୀମା ସୁରକ୍ଷା ମଧ୍ୟ ମିଳିଥାଏ ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା । ଖାଲି ସେତିକି ନୁହେଁ, ଏଟିଏମ୍ କାର୍ଡ ଦେବା ସମୟରେ ବ୍ୟାଙ୍କ୍ ମଧ୍ୟ ଗ୍ରାହକଙ୍କୁ ଏ ବିଷୟରେ ସୂଚନା ଦେଉନଥିବାରୁ, ଅନେକ ଲୋକ ଆଜି ବି, ଏମିତି କିଛି ନିୟମ ଅଛି ବୋଲି ବିଲକୁଲ୍ ଜାଣିନାହାଁନ୍ତି । ତେଣୁ ଦୁର୍ଘଟଣା କି ଅସ୍ୱାଭାବିକ ମୃତ୍ୟୁ ହେଲେ, ଲୋକମାନେ ଏଟିଏମ୍ କାର୍ଡର ଏହି ଇନ୍ସ୍ୟୁରାନ୍ସ ଉପରେ କୌଣସି କ୍ଲେମ୍ କରିନ୍ତିନି, ଆଉ ଏହାର ଲାଭ ଉଠାଇପାରନ୍ତିିନି ।

ଯଦି ଆପଣ କୌଣସି ଜାତୀୟ ସ୍ତରର ବ୍ୟାଙ୍କର ଏଟିଏମ୍ ଅତି କମରେ ୪୫ ଦିନ ବ୍ୟବହାର କରିଛନ୍ତି । ତେବେ ଆପଣଙ୍କୁ ଏହି ଇନ୍ସ୍ୟୁରାନ୍ସର ସୁବିଧାସୁଯୋଗ ମିଳିପାରିବ । କୌଣସି ପ୍ରକାର ଅସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ଆପଣଙ୍କ ପରିବାର କ୍ଲେମ୍ କଲେ, ଆପଣଙ୍କୁ ଏହି ଏଟିଏମ୍ କାର୍ଡ ଉପରେ ଥିବା ବୀମା ରାଶି ଅତି ସହଜରେ ମିଳିପାରିବ ବୋଲି ନିୟମ ରହିଛି । ତେବେ ଇନ୍ସୁରାନ୍ସ ରାଶିର ପରିମାଣର କେତେ ରହିବ, ଆଉ କେତେ ଦିନ ଭିତରେ ଏହା ମିଳିବ…ତାହା ବ୍ୟାଙ୍କ ଆଉ ଆପଣ କେଉଁ ପ୍ରକାରର ଏଟିଏମ୍ କାର୍ଡ ବ୍ୟବହାର କରୁଛନ୍ତି ତା ଉପରେ ନିର୍ଭର କରେ ।

• ଏଟିଏମ୍ କାର୍ଡର କାଟାଗୋରୀ ହିସାବରେ ଜଣେ ବ୍ୟକ୍ତିଙ୍କୁ ଇନ୍ସ୍ୟୁରାନ୍ସ ମିଳିଥାଏ

• ଯଦି ଜଣେ ୟୁଜର୍ସ କ୍ଲାସିକ କାର୍ଡ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ବୀମାରାଶି ମିଳିଥାଏ

• ସେହିପରି ପ୍ଲାଟିନମ୍ କାର୍ଡ ବ୍ୟବହାର କରୁଥିଲେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ମିଳେ

• ସାମାନ୍ୟ ମାଷ୍ଟରକାର୍ଡ କ୍ଷେତ୍ରରେ ଏହି ବୀମା ରାଶିର ପରିମାଣ ୫୦ ହଜାର ଥିବାବେଳେ, ପ୍ଲାଟିନମ୍ ମାଷ୍ଟର କାର୍ଡ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ମିଳିଥାଏ

• ସେହିପରି VISA କାର୍ଡ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନ୍ସ୍ୟୁରାନ୍ସ କଭରେଜ୍ ମିଳିଥାଏ

ଯଦି କୌଣସି ଏଟିଏମ୍ କାର୍ଡଧାରୀଙ୍କ ଦୁର୍ଘଟଣା ଘଟୁଛି ଏବଂ ସେହି ଦୁର୍ଘଟଣାରେ ସେ ଦିବ୍ୟାଙ୍ଗ ହେଇଯାଉଛନ୍ତି, ତେବେ ମଧ୍ୟ ଏଥିରେ ଇନ୍ସ୍ୟୁରାନ୍ସ କଭରେଜ୍ ମିଳିପାରିବ । ଦୁର୍ଘଟଣାରେ ମୃତ୍ୟୁ ହେଲେ, ଜଣେ କାର୍ଡଧାରୀଙ୍କୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ମିଳିବାର ନିୟମ ରହିଛି । ଏଟିଏମ୍ କାର୍ଡ ସହ ମିଳୁଥିବା ଏହି ଇନ୍ସୁରାନ୍ସକୁ କ୍ଲେମ୍ କରିବା ପରେ ହିଁ ମିଳିଥାଏ । ଯେଉଁଥିରେ କାର୍ଡ ହୋଲ୍ଡରଙ୍କ ନୋମିନୀ ବ୍ୟାଙ୍କକୁ ଯାଇ ଆବେଦନ କରିିବାକୁ ପଡେ । ତେବେ ଆବେଦନ କରିବା ସମୟରେ କିଛି ଜରୁରୀ କାଗଜପତ୍ରର ଆବଶ୍ୟକ ପଡିଥାଏ । ସେହି ସବୁ କାଗଜପତ୍ର ବ୍ୟାଙ୍କର ଦାଖଲ କରିବା ପରେ, ଆପଣ ଏଟିଏମ୍ କାର୍ଡରେ ଥିବା ବୀମା ରାଶିର ଲାଭ ଉଠାଇପାରିବେ ।