ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କରିବା ପଡିପାରେ ମହଙ୍ଗା ? କାର୍ଡ କ୍ଲୋନିଂ କରି ଡାଟା ଚୋରି କରୁଛନ୍ତି ହ୍ୟାକର

142

ଡିଜିଟାଲ ହେଉଛି ଭାରତ । କ୍ୟାସଲେସ କାରବାରକୁ ବଢାଇବା ପାଇଁ ମୋଦି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଏପରିକି କ୍ୟାସଲେସ କରିବା ପାଇଁ ଅନେକ ଅଫର ଦେଉଛନ୍ତି ମୋଦି ସରକାର । ବିଭିନ୍ନ କ୍ଷେତ୍ରରେ କ୍ୟାସଲେସ କାରବାର କରିବା ପାଇଁ ପୋତ୍ସାହିତ କରୁଛନ୍ତି ସରକାର । ଡିଜିଟାଲ ପେମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏବେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷକରି ଏଟିଏମ ଓ ଡେବିଟ୍ କାର୍ଡର ବ୍ୟବହାର ବେଳେ ତାହାର କ୍ଲୋନିଂ ଗ୍ରାହକମାନଙ୍କ ଲାଗି ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଯଦି ଆପଣ ସବୁ ସମୟରେ ପେମେଣ୍ଟ କରିବା ପାଇଁ ଡେବିଟ କିମ୍ବା କ୍ରେଡିଟ କାର୍ଡର ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହାଦ୍ୱାରା ଆପଣଙ୍କ ଏଟିଏମ କାର୍ଡର ତଥ୍ୟ ଚୋରି ହେବା ସହ ଆକାଉଣ୍ଟରୁ ପଇସା ଚୋରି ହୋଇଥାଏ ।

ନିକଟରେ ପୁନେର ଏକ ରେସ୍ତୋରାଁରେ ଜଣେ ମ୍ୟାନେଜର ଗ୍ରାହକଙ୍କ ଡେବିଟ୍ କାର୍ଡର କ୍ଲୋନିଂ କରି ଖୋଦ ଉକ୍ତ ରେସ୍ତୋରାଁ ମାଲିକଙ୍କ ଦ୍ୱାରା ଧରା ପଡିଥିଲେ । ମାଲିକ ଉକ୍ତ କର୍ମଚାରୀଙ୍କୁ ପୋଲିସ ହାତରେ ଦେଇଛନ୍ତି । ଭିକ୍କି ଅଗ୍ରଓ୍ଵାଲ ନାମକ ଉକ୍ତ କର୍ମଚାରୀ ପୂର୍ବରୁ ବହୁତ ଥର ଏପରି ଅପରାଧ ଘଟାଇଥିବା ଜଣାପଡିଛି ।

IMG-20140219-WA0004କିପରି ହୁଏ ଏଟିଏମ-ଡେବିଟ୍ କାର୍ଡ କ୍ଲୋନିଂ?
ବିଭିନ୍ନ ଦୋକାନ ବା ବ୍ୟବସାୟିକ ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା କାର୍ଡ ସ୍ୱାପିଂ ମେସିନରେ ଏକ ସ୍କିମିଂ ହାର୍ଡଓ୍ଵାର ଡିଭାଇସ୍ ଲଗାଇଦିଆଯାଏ। ଏହା ଉକ୍ତ ମେସିନରେ ସ୍ୱାପ୍ ହେଉଥିବା ସବୁ କାର୍ଡର ତଥ୍ୟ ଚୋରୀ କରିନିଏ । ଫଳରେ ଏହି ତଥ୍ୟକୁ ବ୍ୟବହାର କରି ଉକ୍ତ କାର୍ଡର ଏକ ଅବିକଳ ନକଲ ତିଆରି କରି ଗ୍ରାହକଙ୍କ ଅର୍ଥ ଚୋରୀ କରିନିଆଯାଏ । ଏହାକୁ କାର୍ଡ କ୍ଲୋନିଂ କୁହାଯାଏ । ଅନେକ ସମୟରେ ଗ୍ରାହକଙ୍କ ଆକାଉଣ୍ଟରୁ ପଇସା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି । ତାହା ଏହି କାର୍ଡ କ୍ଲୋନିଂ ମାଧ୍ୟମରେ ହୋଇଥାଏ ।

ଆମ ଦେଶରେ ଚାଲିଥିବା ପ୍ରାୟ ସବୁ ଏଟିଏମରେ ଓ୍ଵିଣ୍ଡୋଜ୍ ଏକ୍ସପି ଅପରେଟିଂ ସିଷ୍ଟମର ବ୍ୟବହାର ହୁଏ । କିନ୍ତୁ ମାଇକ୍ରୋସଫ୍ଟ ପକ୍ଷରୁ ଆଉ ଏହି ଭର୍ସନ ବାହାର କରାଯାଉନାହିଁ । ଏହି କଥାକୁ ହ୍ୟାକର ଓ ଅପରାଧୀମାନେ ଭଲଭାବେ ଜାଣନ୍ତି ଓ ଏକ୍ସପିର ଦୂର୍ବଳତାରୁ ଫାଇଦା ଉଠାଇ ଏଟିଏମଗୁଡିକୁ ହ୍ୟାକ୍ କରନ୍ତି । ଅପରାଧୀମାନେ ଏଟିଏମର ତାଲା ଭାଙ୍ଗି ତାହାର ହାର୍ଡଓ୍ଵାରରେ ପଶନ୍ତି ଓ ସେଥିରେ ମାଲଓ୍ଵାର ଭାଇରସ ଫିଟ୍ କରିଦିଅନ୍ତି । ଏହା ମାଧ୍ୟମରେ ଏଟିଏମ ସଫ୍ଟଓ୍ଵାରକୁ ହ୍ୟାକ୍ କରି କ୍ୟାଶ ଉଠାଇବାରେ ସଫଳ ହୁଅନ୍ତି । ଯାହାଫଳରେ ଏଟିଏମ ଲୁଟ ଭଳି ଘଟଣା ସାମ୍ନାକୁ ଆସୁଛି । ଏବେ ଦେଶର କେତେକ ବ୍ୟାଙ୍କ ଓ୍ଵିଣ୍ଡୋଜ୍ ଏକ୍ସପି ବଦଳରେ ଲାଟେଷ୍ଟ ଅପରେଟିଂ ସିଷ୍ଟମ ବ୍ୟବହାର କରିବା ଆରମ୍ଭ କଲେଣି । ଏହା ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ।