ଛିଣ୍ଡୁନି ଆଠମଲ୍ଲିକ ଅଙ୍କ ! ତିନି ଦଳକୁ ଅଡୁଆ ଏକାଧିକ ଆଶାୟୀ, ବିଜୟ ସମ୍ଭାବନା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇବ ଦଳ ।

ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି ।

152

କନକ ବ୍ୟୁରୋ: ଆଗାମୀ ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଆସନ୍ତା ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଉପରେ ସମସ୍ତଙ୍କ ଆଖି । କାରଣ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ସେଥିମଧ୍ୟରେ ଆସୁଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ତେବେ ସମ୍ବଲପୁର ସସଂଦୀୟ କ୍ଷେତ୍ରରେ ଆସୁଥିବା ଆଠମଲ୍ଲିକ ବିଧାନସଭା ରଣାଙ୍ଗନରେ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି ଶାସକ ଓ ବିରୋଧୀ ।

ଆଠମଲ୍ଲିକ ବିଧାନସଭା କ୍ଷେତ୍ର କିଶୋରନଗର, ଆଠମଲ୍ଲିକ ବ୍ଲକ, ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଗଠିତ ହୋଇଛି। ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଂଜୀବ ସାହୁ ୬୩ ହଜାର ୨୨୬ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନ ୪୩,୬୯୩ ଖଣ୍ଡ ଓ ବିଜେପି ପ୍ରାର୍ଥୀ ଭାଗୀରଥି ପ୍ରଧାନ ୨୨,୪୬୩ ଖଣ୍ଡ ଭୋଟ ପାଇଥିଲେ । ସଂଜୀବ ସାହୁ ୧୯,୫୩୩ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରିଥିଲେ । ସବୁଠାରୁ ବଡ଼କଥା ହେଲା ଯେ, ସଂଜୀବ ଆଠମଲ୍ଲିକ ଅଞ୍ଚଳର ମାଟିର ପୁଅ ହିସାବରେ କ୍ରମାଗତ ଭାବେ ଦୁଇ ଥର ନିର୍ବାଚନ ଜିତିଛନ୍ତି ।

ଦଳୀୟ ସାଂଗଠନିକ ଦକ୍ଷତା, ‘ଚଷା ଭୋଟ ବ୍ୟାଙ୍କ’ ଏବଂ ଉନ୍ନୟନ କାର୍ଯ୍ୟ ଆଦି କାରଣରୁ ସଂଜୀବଙ୍କୁ ଏଥର ବି ଟିକେଟ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି ।ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭ୍ୟୁଦୟ ତାଙ୍କ ଲୋକ୍ରପ୍ରିୟତାରେ ଆଞ୍ଚ ଆଣିଥିବା ତାଙ୍କ ବିରୋଧୀମାନେ କହୁଛନ୍ତି । ତାଙ୍କୁ ପ୍ରାର୍ଥୀ କରାଗଲେ ଦଳ ପାଇଁ ମହଂଗା ସାବ୍ୟସ୍ତ ହୋଇପାରେ ବୋଲି ମଧ୍ୟ ଗୋଟିଏ ଗୋଷ୍ଠୀ ଦାବି କରୁଛି । କଟକ ମହାନଗର ନିଗମର ଅତିରିକ୍ତ କମିସନର ପଦରୁ ଇସ୍ତଫା ଦେଇ ଆଠମଲ୍ଲିକ ଆମ୍ବସରମୁଣ୍ଡା ମାଟିର ପୁଅ ରମେଶ ଚନ୍ଦ୍ର ସାଏଙ୍କ ବିଜେଡିରେ ଯୋଗଦାନ ପରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଚାକିରିରୁ ଇସ୍ତଫା ପରେ ସେ ବି ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକତର ହେବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି ।

ସେପଟେ ବିରୋଧୀ କଂଗ୍ରେସ ପଞ୍ଚାୟତ ନିର୍ବଚନରେ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଆସନ୍ତା ନିର୍ବାଚନରେ ଉଭୟ ବିଜେପି ଓ ବିଜେଡିକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଯୁବନେତା ବିଜୟାନନ୍ଦ ଚାଉଳିଆ, ସୁବୋଧ ମହାପାତ୍ର, ପ୍ରଦୀପ ବେହେରା ପ୍ରମୁଖ ଟିକେଟ ପାଇଁ ସ୍କ୍ରିନିଂ କମିଟିରେ ଆବେଦନ କରିଛନ୍ତି । କଂଗ୍ରେସ ନିର୍ବାଚନ କମିଟି ନିକଟରେ ରାଜ୍ୟର ଅନ୍ୟ ବିଧାନସଭାଗୁଡ଼ିକ ପାଇଁ ୨ ଜଣ ଲେଖାଏଁ ନେତାଙ୍କ ନାମ ଏଆଇସିସିକୁ ସୁପାରିସ କରିଛି । ଆଠମଲ୍ଲିକରୁ କିନ୍ତୁ କାହାରି ନାମ ପଠାଯାଇ ନାହିଁ। ଅନ୍ୟପଟେ ଗତ ୨୦୧୪ ନିର୍ବାଚନରେ ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନ ଏବେ ରାଜନୀତିରୁ ଦୂରେଇ ରହିଛନ୍ତି। ତେଣୁ ଏବେ କାହାକୁ କଂଗ୍ରେସ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗୀରଥି ପ୍ରଧାନ ଏଥର ଆଠମଲ୍ଲିକ ବିଧାନସାଭା କ୍ଷେତ୍ର ପାଇଁ ଦଳୀୟ ଟିକେଟ୍ ପାଇବାକୁ ପ୍ରଥମ ଦାବିଦାର ବୋଲି କୁହାଟାଉଛି । ତେବେ କ୍ରମାଗତ ଭାବେ ଗତ ଦୁଇଟି ନିର୍ବାଚନରେ ଭାଗିରଥୀ ଶୋଚନୀୟ ପରାସ୍ତ ହୋଇଥିବାରୁ ଏଥର ନୂଆ ଚେହେରା ବାଛିବ ବିଜେପି ବୋଲି ଚର୍ଚ୍ଚା ହେଉଛି । ଏହି ମର୍ମରେ ଅଜିତ ସାହୁ, ସଂଗ୍ରାମ ମହାପାତ୍ର, ରୁଦ୍ର ଷଡଙ୍ଗୀ ପ୍ରମୁଖ ଯୁବନେତାଙ୍କ ନାମ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି। ତେବେ ନୂଆ ନା ପୁରୁଣା ନେତାଙ୍କ ମଧ୍ୟରେ ଲଢ଼େଇ ହେବ ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ।