କନକ ବ୍ୟୁରୋ : ଧାମନଗର ଉପ-ନିର୍ବାଚନ ପାଇଁ ସରିଲା ୩ ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା । ଏବେ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବ ୩ ଦଳର ପ୍ରାର୍ଥୀ । ପୂର୍ବରୁ ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ବିଜେଡି ସରପ୍ରାଇଜ କାର୍ଡ ଖେଳିବା ସହ ଅବନ୍ତୀ ଦାସଙ୍କୁ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି । ମହିଳା କାର୍ଡ ଖେଳି ବିରୋଧୀଙ୍କୁ ହତଚକିତ କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ସବୁଠୁ ରୋଚକ କଥା ହେଉଛି ଧାମନଗର ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ୩ ମୁହଁ । ତେଣୁ ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ ତାହାକୁ ନେଇ ଏବେଠୁ ଆରମ୍ଭ ହୋଇଛି ଚର୍ଚ୍ଚା ଓ ଅଙ୍କକଷା ।

Advertisment

ଭିନ୍ନ ଭିନ୍ନ ସମୀକରଣ ସହ ନିଜ ପ୍ରାର୍ଥୀଙ୍କର ବିଜୟ ସମ୍ଭାବନା ଥିବା ନେଇ ୩ ପ୍ରମୁଖ ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ ବିଜେଡିର ଅନୁଭବୀ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଧାମନଗରରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କିଏ ରହିବ ସେଥିପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଧାମନଗରବାସୀ ବିଜେଡି ସହ ଅଛନ୍ତି । ଉପ-ନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ । ତେବେ ବିଜୟ ବ୍ୟବଧାନ଼ କେତେ ଅଧିକ ହେବ ତାହାକୁ ଦଳ ରଣନୀତି ପ୍ରସ୍ତୁତି କରୁଛି ।

ଏହାଛଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉପ-ନିର୍ବାଚନରେ ବିଜୟ ବାନା ଉଡାଇ ଚାଲିଛି ବିଜେଡି । କାରଣ ଏହା ଲୋକଙ୍କର ଦଳ, ଆଉ ଓଡ଼ିଶାର ଲୋକ ନବୀନଙ୍କ ସହ ଅଛନ୍ତି । ବିଜେପି କେବଳ ତୁଚ୍ଛା ବାହାସ୍ପୋଟ ମାରୁଛି । କିଛି ମାସ ପୂର୍ବେ ଶେଷ ହୋଇଥିବା ବ୍ରଜରାଜନଗର ଉପ-ନିର୍ବାଚନରେ ବିଜେଡି ବାଜିମାତ କରିଥିଲା । ଏପରିକି ବାଲେଶ୍ୱର ଆସନରେ ୨୦୧୯ରେ ବିଜେପି ଜିତିଥିଲା କିନ୍ତୁ ଉପ-ନିର୍ବାଚନରେ ଏହି ଆସନ ବିଜେପି ଠାରୁ ଛଡାଇ ଆଣିଥିଲା ବିଜେଡି । ଆଉ ଧାମନଗରରେ ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିବ ବୋଲି କହିଛନ୍ତି ଅତନୁ ।

ଏହାବାଦ୍ ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣର ନାରାକୁ ସଫଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଜରିଆରେ ୭୫ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ନବୀନ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂରା ଦେଶ ପ୍ରଂଶସା କରୁଛି । ପ୍ରମିଳା ବିଷୋୟୀଙ୍କୁ ସଂସଦ ପଠାଇ ନବୀନ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି । ଆଉ ଏବେ ମିଶନ ଶକ୍ତି ସହ ଦୀର୍ଘଦିନ ହେବ ଜଡିତ ଥିବା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ନବୀନ ଏହି ଧାରାକୁ ଆଗକୁ ନେଉଛନ୍ତି ବୋଲି କହିଛନ୍ତି ଅତନୁ । ଆଉ ଅତନୁଙ୍କ ଏଭଳି ଦମ୍ଭୋକ୍ତି ଦର୍ଶାଉଛି ଯେ, ଧାମନଗର ଉପ-ନିର୍ବାଚନରେ ବିଜୟୀ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସାରିଛି ବିଜେଡି ।