ଆଜି ଉଦଘାଟିତ ହେବ ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ: ହିମାଚଳପ୍ରଦେଶ ରୋହତାଙ୍ଗରେ ଥିବା ୯ କି.ମିରୁ ଅଧିକ ଲମ୍ବର ଟନେଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଶୀତ ଓ ତୁଷାରପାତରେ ବି ସୁଗମ ହୋଇପାରିବ ଯୋଗାଯୋଗ

253

କନକ ବ୍ୟୁରୋ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଆଜି ହିମାଚଳ ପ୍ରଦେଶ ରୋହତାଙ୍ଗରେ ଉଦଘାଟନ ହେବ ବିଶ୍ୱର ସବୁଠୁ ଲମ୍ବା ହାଇୱେ ଟନେଲ ଅଟଳ ଟନେଲ । ଶୀତ ଦିନରେ ତାପମାତ୍ରା ମାଇନସ ୫୦ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଯାଉଥିବା ବେଳେ ସେଠାରେ ପହରା ଦେବେ ଭାରତୀୟ ସେନା । ଏପରି ସମୟରେ ଲେହ ଲଦାଖକୁ ସେନା ନିକଟକୁ ଅସ୍ତ୍ରଶସ୍ତ୍ର ଓ ରାସନ ପହଂଚାଇବା ପାଇଁ ରାସ୍ତା ଖୋଲିବାକୁ ଯାଉଛି । ଅକ୍ଟୋବର ୩ତାରିଖରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ଲମ୍ବା ଟନେଲ କୁହାଯାଉଥିବା ଅଟଳ ଟନେଲକୁ ଉଦଘାଟନ କରିବେ । ଏଥିପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ରୋହତାଙ୍ଗର ଅଟଳ ଟନେଲ ଯାଇ ଅନୁଧ୍ୟାନ କରିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଏହି ଟନେଲ ବିଶ୍ୱର ସବୁଠାରୁ ଲମ୍ବା ହାଇୱେ ଟନେଲ । ୯ ଦଶମିକ ୨କିଲୋମିଟର ଲମ୍ବା ଏହି ହାଇୱେ ଟନେଲ ବର୍ଷ ତମାମ ମନାଲୀ ସହ ଲାହୌଲ ସ୍ପିତି କୁ ଯୋଡିବ । ପୂର୍ବରୁ ଶୀତ ଦିନରେ ପ୍ରବଳ ତୁଷାରପାତ ଯୋର୍ଗୁ ପ୍ରାୟ ୬ମାସ ଧରି ଏହି ରାସ୍ତା ବନ୍ଦ ରହୁଥିଲା । କିନ୍ତୁ ଏହି ଟନେଲ ଉଦଘାଟନ ହେବା ପରେ ୧୨ମାସ ୨୪ଘଂଟା ଏହି ଟନେଲ ଖୋଲା ରହିବ । ଏହି ଟନେଲ ଯୋଗୁଁ ମନାଲିରୁ ଲେହକୁ ସଡ଼କପଥରେ ୪୬ କିଲୋମିଟର ଦୁରତା କମିବ ।