ଦ୍ୱିତୀୟ ଲହର ଯୁବବର୍ଗଙ୍କୁ ଅଧିକ ସଂକ୍ରମିତ କରୁଥିବା ମିଛ ବୋଲି କହିଲେ ଆଇସିଏମଆର ଡିଜି । ଏବେ ବି ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି 

208

କନକ ବ୍ୟୁରୋ: କେଉଁ ବୟସ ବର୍ଗଙ୍କୁ ଅଧିକ କରୋନା ସଂକ୍ରମଣ ହେଉଛି, ଏବଂ କେଉଁ ମାନଙ୍କ ପ୍ରତି ବିପଦ ରହିଛି, ସେ ନେଇ ସୂଚନା ଦେଇଛନ୍ତି ଆଇସିଏମଆର ଡିଜି  । ଆଇସିଏମଆର ଅର୍ଥାତ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ । ଦେଶରେ ଭେଷଜ ବିଜ୍ଞାନ ସମ୍ପର୍କୀତ ସର୍ବୋଚ୍ଚ ଗବେଷଣା ସଂସ୍ଥା । ଏହି ସଂସ୍ଥାର ମୁଖ୍ୟ ବଳରାମ ଭାଗର୍ବଙ୍କ କହିବା ହେଲା, କରୋନାର ପ୍ରଥମ ଲହର ସହିତ ପ୍ରାୟ ସମାନ ରହିଛି ଦ୍ୱିତୀୟ ଲହରରେ ସଂକ୍ରମଣ ।

ଏବେ ବି ୪୦ ବର୍ଷରୁ ଅଧିକ ବୟସ୍କ ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ । ଅର୍ଥାତ, କରୋନାର ଦ୍ୱିତୀୟ ଲହର ଯୁବ ବର୍ଗଙ୍କୁ ଟାର୍ଗେଟ କରୁଥିବା ନେଇ ଯେଉଁ ଆଲୋଚନା ହେଉଥିଲା, ତାକୁ ଖଣ୍ଡନ କରିଛନ୍ତି, ଡାକ୍ତର ଭାଗର୍ବ । କହିଛନ୍ତି, ଶୂନରୁ ୧୯ ବର୍ଷ ଯାଏ ୫ ଦଶମିକ ୮ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ପ୍ରଥମ ଲହରରେ ଏହା ୪. ୨ ପ୍ରତିଶତ ଥିଲା ।

ସେହିପରି ୨୦ରୁ ୪୦ ବର୍ଷ ଯାଏ ୨୫ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ଯାହା ପ୍ରଥମ ଲହରରେ ଥିଲା ୨୩ ପ୍ରତିଶତ । ମୃତ୍ୟୁ ହାର ମଧ୍ୟ ପାଖାପାଖି ସମାନ ରହିଛି । କେବଳ ଦ୍ୱିତୀୟ ଲହରରେ ଆକ୍ରାନ୍ତଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହେଉଛି ଓ ଅକ୍ସିଜେନର ଆବଶ୍ୟକ ପଡୁଛି ।