କନକ ବ୍ୟୁରୋ : ପୁଣି ପରୀକ୍ଷାରେ ବିରାଟ ବାହିନୀ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ପରାସ୍ତ ହେବା ପରେ ଆଜି ଆଫଗାନିସ୍ତାନକୁ ଭେଟିବ ଦଳ । ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି । ତା’ ଛଡ଼ା ଏହି ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି। ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍‌ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା‌ ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍‌ର ପଞ୍ଚମ ସ୍ଥାନରେ ରହିଛି। ତା ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି ।

Advertisment

ଏପରିକି ‌ଭାରତୀୟ ଖେଳାଳିଙ୍କ ପରିବାରବର୍ଗଙ୍କୁ ମଧ୍ୟ ଏହି ଲଜ୍ଜା‌ଜନକ ପ୍ରଦର୍ଶନ ପାଇଁ ଧମକ ଚମକ ମିଳୁଛି । ଫଳରେ ଭାରତୀୟ ଖେଳାଳିଙ୍କ ମାନସିକ ସ୍ଥିତି ସେତେଟା ଭଲ ନାହିଁ । ଏଭଳି ସ୍ଥିତିରେ ବୁଧବାର ପୁଣି ଥରେ ଭାରତୀୟ ଦଳ ଘୋର ଚାପରେ ଥାଇ ପଡ଼ିଆକୁ ଓହ୍ଲାଇବ । ଦଳ ଯାହା ପରୀକ୍ଷା ନିରୀକ୍ଷା କରିଛି ସବୁ ଏକପ୍ରକାର ବିଫଳ ହୋଇଛି । ସେଥିପାଇଁ ଆଫ୍‌ଗାନିସ୍ତାନ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ କିଭଳି ହେବ ଏବଂ ଓପନିଂ କିଏ କରିବ, ସେ ପ୍ରଶ୍ନ ସମର୍ଥକଙ୍କୁ ଆନ୍ଦୋଳିତ କରୁଛି। ଦୁଇଟି ବଡ଼ ପରାଜୟ ପରେ ଭାରତର ସେମିଫାଇନାଲ୍ ଆଶା ଏକ ପ୍ରକାର ମଉଳି ଯାଇଛି । ତଥାପି ଗାଣିତିକ ହିସାବ ଅନୁସାରେ ଟିମ୍ ଇଣ୍ଡିଆ ସେମିଫାଇନାଲ୍ ଖେଳିବାର ସମ୍ଭାବନା ସଂପୂର୍ଣ୍ଣ ଦୂର ହୋଇନି ।

ଏଭଳି ସ୍ଥିତିରେ କେବଳ ବଡ଼ ଧରଣର ଚମତ୍କାର ହିଁ କୋହଲି ବାହିନୀକୁ ସେମିଫାଇନାଲ୍ ନେଇ ପାରିବ । କାରଣ ସେମି ଆଶା ଉଜ୍ଜୀବିତ ରଖିବାକୁ ହେଲେ ବି ଭାରତକୁ ଆଫ୍‌ଗାନିସ୍ତାନକୁ ବଡ଼ ବ୍ୟବଧାନରେ ହରାଇବାକୁ ପଡ଼ିବ । ହେଲେ ଆଫଗାନିସ୍ତାନ ୨୦୧୯ ଏକଦିବସୀୟ ବିଶ୍ବକପ୍‌ରେ ଭାରତକୁ ପୂରା ପାଣି ପିଆଇ ଦେଇଥିଲା । ଅବଶ୍ୟ ଭାରତ ୨୦୧୦ ଓ ୨୦୧୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନକୁ ହରାଇଥିଲା । ଏବେ ଆଫ୍‌ଗାନିସ୍ତାନ ପାଇଁ ଭାରତକୁ ପ୍ରଥମ ଥର ହରାଇବାର ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଫ୍‌ଗାନିସ୍ତାନ ଦଳରେ ମହମ୍ମଦ ନବି ଏବଂ ରସିଦ ଖାନଙ୍କ ଭଳି ଖେଳାଳି ଅଛନ୍ତି। ଏମାନେ ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ଦୋହଲି ଯାଇଥିବା ଆତ୍ମବଳରୁ ଫାଇଦା ନେବାକୁ ‌ଚେଷ୍ଟା କରିବେ । ସେପଟେ ଅଧିନାୟକ କୋହଲି ସମ୍ଭବତଃ ନିଜ ଟ୍ବେଣ୍ଟି-୨୦ ନେତୃତ୍ବ ଜୀବନର ଶେଷ ୩ ମ୍ୟାଚ୍ ଖେଳିବା ବାକି ରହିଛି । ପୁଣି ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ଦଳରେ ନେବା ଏବଂ ତାଙ୍କୁ ବେଞ୍ଚ୍‌ରେ ବସାଇବା ନେଇ ବିବାଦ ଦେଖା ଦେଇଛି ।

ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସ୍ଥାନ ବଦଳାଇବାକୁ ନେଇ କୋହଲି ପୂର୍ବତନ ଭାରତୀୟ କ୍ରିକେଟରଙ୍କଠାରୁ ତୀବ୍ର ସମାଲୋଚନାର ସମୁଖୀନ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟ ପରେ କୋହଲି କିମ୍ବା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସାମ୍ବାଦିକ ସମ୍ମିଳନୀକୁ ନଆସିବା ନେଇ କିଛି ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ଦଳ ଏବେ ଦୁଇ ଗୋଷ୍ଠୀରେ ବାଣ୍ଟି ହୋଇଯାଇଥିବାର ଖବର ବି ଆସୁଛି । ଏସବୁ ଗୋଳମାଳିଆ ପରିସ୍ଥିତିରେ ଆଫ୍‌ଗାନିସ୍ତାନଠାରୁ ଜିତି ପ୍ରଶଂସକଙ୍କ ମନରେ କିଛିଟା ଆନନ୍ଦ ଉଲ୍ଲାସ ଭରିବା କୋହଲି ବାହିନୀ ପାଇଁ ଆଦୌ ସହଜ ହେବାର ସମ୍ଭାବନା ନାହିଁ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଅସଗର ଆଫଗାନ ଅବସର ନେବା ଆଫଗାନିସ୍ତାନ ପାଇଁ ବଡ଼ ଝଟ୍‌କା ହୋଇଛି । ତାଙ୍କ ସ୍ଥାନରେ ସରଫଉଦ୍ଦିନ ଅସ୍ରଫଙ୍କୁ ଆଫ୍‌ଗାନିସ୍ତାନ କ୍ରିକେଟ୍ ବୋର୍ଡ ନିଜ ବିଶ୍ବକପ୍ ଏକାଦଶରେ ସାମିଲ କରିଛି। ଅସ୍ରଫ ହେଉଛନ୍ତି ଜଣେ ବୋଲିଂ ଅଲରାଉଣ୍ଡର ।

ସମ୍ଭାବ୍ୟ ଭାରତ: କେଏଲ୍ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି (ଅଧିନାୟକ), ଈଶାନ କିଶନ/ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍‌ରା।

ସମ୍ଭାବ୍ୟ ଆଫ୍‌ଗାନିସ୍ତାନ: ହଜରତୁଲ୍ଲା ଜଜାଇ, ମହମ୍ମଦ ସାହଜାଦ, ରହମନୁଲ୍ଲା ଗୁରବାଜ୍, ହସମତୁଲ୍ଲା ସାହିଦି/ଉସମାନ ଘନି, ମହମ୍ମଦ ନବି, ନାଜିବୁଲା ଜଦ୍ରାନ, ଗୁଲବଦିନ ନୈବ, ରସିଦ ଖାନ୍, କରିମ ଜନତ/ମୁଜିବ-ଉର୍-ରହମାନ, ନବୀନ-ଉଲ୍-ହକ୍, ହମିଦ ହାସନ।