୬୫ବର୍ଷରେ ନ୍ୟାୟ ପାଇଁ ସାଇକେଲରେ ଗଲେ ୭୦ କିଲୋମିଟର : ନୂଆପଡାରେ ଗଣପତିଙ୍କ ଜାରି ରହିଛି ଲଢେଇ

ଚକ୍ରାନ୍ତ କରି ଜମି ବାଡି ଛଡାଇ ନେବା ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବି ମିଳୁନି ନ୍ୟାୟ

87

କନକ ବ୍ୟୁରୋ : ନ୍ୟାୟ ପାଇଁ ୭୦ କିଲୋମିଟର ସାଇକେଲରେ ଆସିଲେ ବୃଦ୍ଧ । ୬ବର୍ଷ ତଳେ ବରଗାଁ ନିକଟ ପୋଡ଼ାପାଲି ଗାଁର ସାବିତ୍ରୀ ଡ଼ମ୍ବଙ୍କ ଠାରୁ ୬ଡ଼ିସିମିଲ ଘରଡ଼ିହ କିଣିଥିଲେ ଖଡ଼ିଆଳ ଥାନା ବରପଦର ଗାଁର ଗଣପତି ଦୁରିଆ । ଏବେ ସେହି ଜମିରେ ଗାଁର ଶ୍ୟାମ ଶଗରିଆ ଓ ନିଅମତି ଶଗରିଆ ଘର ନିର୍ମାଣ କରୁଛନ୍ତି । ଏହାକୁ ବିରୋଧ କଲେ ସେମାନେ ଝଗଡ଼ା କରିବା କରିବା ସହ ମାଡ଼ପିଟ କରୁଥିବାର ସେ ଅଭିଯୋଗ କରିଛନ୍ତି ।

ଏନେଇ ଗଣପତି ଦୁରିଆ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ଖଡ଼ିଆଳ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେଠାରେ ବିଡ଼ିଓ ତାଙ୍କୁ ଡ଼ିମାର୍କେଶନ କରିବାକୁ ପରାମର୍ଶ ଦେଇଥିଲେ । ଖଡ଼ିଆଳ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନିରୀକ୍ଷକ ତଦନ୍ତ କରିଥିଲେ । ଗଣପତିଙ୍କ ଘରଡ଼ିହକୁ ଶ୍ୟାମ ଶଗରିଆଙ୍କ ବୋଲି କହିଥିଲେ । ନ୍ୟାୟ ପାଇଁ ବାର ଦୁଆର ହେବା ପରେ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପାଇଁ ଚିନ୍ତା କରିଥିଲେ ଗଣପତି ଦୁରିଆ ।

ବସଭଡ଼ା ପାଇସା ନଥିବାରୁ ନିଜ ଘରୁ ଦୀର୍ଘ ୭୦ କିଲୋମିଟର ସାଇକେଲରେ ଯାଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗଣପତି । ତେବେ ସବୁଠାରୁ ଦୁଃଖର କଥା ହେଉଛି ବୃଦ୍ଧ ଜଣଙ୍କ ଏତେବାଟ ସାଇକେଲରେ ଯାଇଥିଲେ ମଧ୍ୟ ଜିଲ୍ଲାପାଳ କୋଭିଡ କଟକଣା ବାହାନା କରି ତାଙ୍କୁ ଭେଟିନଥିଲେ । ।ତେଣୁ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଗଣପତିଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହୋଇଛି ।