ପାକିସ୍ତାନଠୁ ଅଧିକ ଧନୀ ହେଲା ଟାଟା ଗ୍ରୁପ୍ । ପାକିସ୍ଥାନର ଅର୍ଥବ୍ୟବସ୍ଥାକୁ ଟପିଲା ଟାଟା । ଜାଣନ୍ତୁ, ଟାଟାର ମୋଟ ସମ୍ପତ୍ତି କେତେ?

773

କନକ ବ୍ୟୁରୋ: ପାକିସ୍ତାନଠୁ ଅଧିକ ଧନୀ ଟାଟା ଗ୍ରୁପ୍ । ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଟପିଯାଇଛି ଭାରତର ଟାଟା ଗ୍ରୁପ୍ । ପାକିସ୍ତାନର ମୋଟ ଜିଡିପିର ପରିମାଣ କେବଳ ୩୪୧ ଆରବ ଡଲାର ହେଇଥିବାବେଳେ, ଟାଟା ଗ୍ରୁପର ମୋଟ୍ ଅର୍ଥରାଶିର ପରିମାଣ ଏବେ ୩୬୫ ଆରବ ଡଲାରରେ ପହଞ୍ଚିଛି । ଆଉ ପାକିସ୍ତାନଠୁ ଅଧିକ ଧନୀ ହେଇଛି ଟାଟା ଗ୍ରୁପ ।

ଖାଲି ସେତିକି ନୁହେଁ, ଟାଟା ଗ୍ରୁପରେ ଥିବା ଟାଟା କନସଲଟାନ୍ସି ସର୍ଭିସ (ଟିସିଏସ୍)ର ବଜାର ମୂଲ୍ୟ କେବଳ ୧୭୦ ଆରବ ଡଲାରରେ ପହଞ୍ଚିଛି । ଯାହାକି ପାକିସ୍ତାନର ଅର୍ଥବ୍ୟବସ୍ଥାର ଅଧା ସହ ସମାନ । ତେବେ ଭାରତରେ ରିଲାଏନ୍ସ ପରେ ଏବେ ଏହା ଦ୍ୱିତୀୟ ବଡ କମ୍ପାନୀ ହେଇପାରିଛି ।

ଟାଇଟନ୍, ଟିସିଏସ୍ ଓ ଟାଟା ପାୱାର ଭଳି କମ୍ପାନୀରେ ଗତ ଗୋଟିଏ ବର୍ଷ ଭିତରେ ଅନେକ ଉନ୍ନତି ଦେଖିବାକୁ ମିଳିଛି । ଟାଟାର ୮ଟି କମ୍ପାନୀର ସମ୍ପତ୍ତି ଗତ ଗୋଟିଏ ବର୍ଷ ଭିତରେ ଦୁଇଗୁଣା ହେଇଛି । ଏହାସହ ଟିଆରଏଫ୍, ବନାରସ୍ ହୋଟେଲ, ଟାଟା ମୋଟର୍ସ, ଅଟୋ ମୋବାଇଲ କର୍ପୋରେସନ୍ ଅଫ୍ ଗୋଆ, ଟାଟା କ୍ୟାପିଟାଲ୍ସର ସମ୍ପତ୍ତି ମଧ୍ୟ ବଢିବାକୁ ଲାଗୁଛି । ତେବେ ଅନ୍ୟପଟେ କିନ୍ତୁ ପାକିସ୍ତାନ ଦିନକୁ ଦିନ ଦରିଦ୍ର ହେବାରେ ଲାଗିଛି ।