ଜଳବାୟୁ ପରିବର୍ତନ ଯୋଗୁଁ ବଦଳୁଛି ଋତୁଚକ୍ର । ଗୋଟିଏ ସମୟରେ ଅଲିଭରିଡଲେଙ୍କ ଅଣ୍ଡାଦାନ ସାଙ୍ଗକୁ ସମୁଦ୍ରକୁ ଯାଉଛନ୍ତି କଇଁଛ ଶାବକ

109

କନକ ବ୍ୟୁରୋ: ଜଳବାୟୁ ପରିବର୍ତନ ଯୋଗୁଁ ଋତୁଚକ୍ରରେ ପରିବର୍ତନ । ଫେବୃୟାରୀ, ମାର୍ଚ୍ଚ ପରିବର୍ତେ ଏପ୍ରିଲରେ ଅଲିଭରିଡଲେ କଇଁଛ ଗଣଅଣ୍ଡାଦାନ ପକ୍ରିୟା ଦେଖିବାକୁ ମିଳୁଛି । ଯେଉଁ ସମୟରେ ଅଲିଭରିଡଲେ ଗଣଅଣ୍ଡାଦାନ କରୁଛନ୍ତି, ସମାନ ସ୍ଥାନରେ ସମାନ ସମୟରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଉଛନ୍ତି । ଏପରି ବିରଳ ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଗତ ୮ ବର୍ଷ ଭିତରେ ଚଳିତବର୍ଷ ସବୁଠୁ କମ୍ ସଂଖ୍ୟାରେ କଇଁଛ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି । ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଭିନ୍ନଭିନ୍ନ ଆଶଙ୍କା ପ୍ରକାଶ ପାଇଛି ।

ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡାର ଗହୀରମଥା ଗୋଟିଏ ସମୟରେ ଦେଖିବାକୁ ମିଳିଛି ଦୁଇଟି ଦୃଶ୍ୟ । ଯେଉଁ ସମୟରେ କଇଁଛ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇ ଅଣ୍ଡାଦାନ କରୁଛନ୍ତି, ଠିକ୍ ସେହି ସମୟରେ ସମାନ ବେଳାଭୂମିରୁ କିଛି କଇଁଛ ଶାବକ ସମୁଦ୍ରକୁ ଯିବାର ଦେଖିବାକୁ ମିଳିଛି । ତେବେ ଚଳିତ ମାସ ୨ ତାରିଖରୁ ଗରିହମଥାରେ ଅତିଥି କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟାରେ ୮ ତାରିଖ ଭୋର ସୁଦ୍ଧା ପ୍ରାୟ ୨ ଲକ୍ଷ ୯୯ ହଜାର ୪୯୭ ଅତିଥି କଇଁଛ ସାମିଲ ହୋଇଛନ୍ତି । ଗତ ୪ ତାରିଖ ଦିନ ନାସୀ-୨ରେ କଇଁଛ ବସାରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା । ସମାନ ସମୟରେ କଇଁଛଙ୍କ ଅଣ୍ଡାଦାନ ଓ ଅଣ୍ଡାରୁ ଛୁଆ ବାହାରିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମାଆ କଇଁଛମାନେ ଅଣ୍ଡାଦାନ କରିବାକୁ ଏକ ମାସରୁ ଅଧିକ ସମୟ ସମୁଦ୍ର କୂଳରେ ଭିଡ ଜମାଇଛନ୍ତି । ହେଲେ ଜଳବାୟୁ ପରିବର୍ତନ ଯୋଗୁଁ ୪ ବର୍ଷରେ କଇଁଛଙ୍କ ଅଣ୍ଡାଦାନ ସ୍ଥଳ ଅଧାରୁ ଅଧିକ ସମୁଦ୍ର ଗର୍ଭକୁ ଚାଲିଯାଇଛି । ବର୍ଷେ ଭିତରେ ୪ ହେକ୍ଟର ବେଳାଭୂମି ସମୁଦ୍ରରେ ଲୀନ ହୋଇଯାଇଛି । ଅଣ୍ଡାଦାନ ସ୍ଥଳ କ୍ରମଶଃ କମୁଥିବାରୁ ଅଲିଭରିଡଲେ କଇଁଛଙ୍କ ସଂଖ୍ୟା ମଧ୍ୟ କମୁଛି । ପରିବେଶବିତଙ୍କ କହିବା ଅନୁସାରେ, ଏବେ ବି ହଜାର ହଜାର କଇଁଛ କୂଳଠାରୁ ୫ଶହ ମିଟର ଦୂରରେ ଥିଲେ ମଧ୍ୟ ଅଣ୍ଡାଦାନ ପାଇଁ ଆସୁନାହାଁନ୍ତି । ପରିବେଶ ସନ୍ତୁଳନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅଲିଭରିଡଲେଙ୍କ ଜୀବନଚର୍ଯ୍ୟାରେ ପରିବର୍ତନ ନିହାତି ଚିନ୍ତାର ବିଷୟ । ତେଣୁ ଏବେଠୁ ସଚେତନ ହେବାର ଆବଶ୍ୟକତା ରହିଛି ।