ରାତି ପାହିଲେ ପୁରୀ ଶ୍ରୀମନ୍ଦିରରେ ହେବ ନାଗାର୍ଜୁନ ବେଶ : କରୋନା କଟକଣା ପାଇଁ ଦର୍ଶନ କରିପାରିବେନି ଭକ୍ତ

ସେପଟେ ଅନଲାଇନ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ

174

କନକ ବ୍ୟୁରୋ : ରାତି ପାହିଲେ ମହାପ୍ରଭୁଙ୍କ ବିରଳ ବେଶ ନାଗାର୍ଜୁନ ବେଶ । ଶୁକ୍ରବାର ଭୋର ୪ଟାରୁ ସକାଳ ୭ଟା ଯାଏଁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଯୋଦ୍ଧା ବେଶ କରାଯିବ । ହେଲେ କରୋନା କଟକଣା ଯୋଗୁଁ ଏହି ଦୁର୍ଲଭ ବେଶକୁ ଦର୍ଶନ କରି ପାରିବେ ନାହିଁ ଭକ୍ତ । କୋଭିଡ ନିୟମକୁ ପାଳନ କରି ସେବାୟତମାନେ ମନ୍ଦିର ଭିତରକୁ ଯିବେ । ରୀତିନୀତି ଅନୁସାରେ ଏହି ବେଶ ନିର୍ଦ୍ଧାରିତ ସମୟ ଅନୁସାରେ ଅନୁଷ୍ଠିତ ହେବ ।

୨୬ ବର୍ଷ ପରେ ହେଉଛି ଶ୍ରୀଜୀଉଙ୍କ ବିରଳ ବେଶ । ମହାମାରୀ କରୋନା ପାଇଁ ଅନିଶ୍ଚିତତା ଭିତରେ ଥିବା ନାଗାର୍ଜୁନ ବେଶକୁ ଶେଷରେ ସବୁଜ ସଙ୍କେତ ମିଳଥିଲା । ଜାନୁଆରୀ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଏହାକୁ ଅନୁମୋଦନ ଦେଇଥିବା ବେଳେ ବେଶ ସେବାୟତ ଚକ୍ରକୋଟ ବଳରାମ ଖୁଂଟିଆଙ୍କୁ ଡାକି ଆଲୋଚନା କରାଯାଇଥିଲା । ଶ୍ରୀଜିଉଙ୍କ ବେଶ ଆଭୂଷଣ ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ କୁହାଯିବା ପରେ ଜୋରସୋରରେ ଆଗେଇ ଚାଲିଥିଲା କାମ । ଏବେ ଶେଷସ୍ପର୍ଶ ଦିଆଯାଉଛି । ଶୁକ୍ରବାର ଭୋର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ଗୁରୁବାର ରାତି ୨ଟାରେ ଚକ୍ରକୋଟ ଯାଗାରୁ ବେଶକୁ କଡା ସୁରକ୍ଷା ବଳୟରେ ଶ୍ରୀମନ୍ଦିରକୁ ଅଣାଯିବ ।