ଧୋନୀଙ୍କ ଉପରେ ବର୍ଷିଲେ ଟିମ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀର : କହିଲେ ୨୧୭ରନକୁ ଚେଜ କଲାବେଳେ କାହିଁକି ସେଭେନଥ ଡାଉନରେ ଆସିଲେ ଚେନ୍ନାଇ ଅଧିନାୟକ; କାଲି ରାଜସ୍ଥାନ ଠାରୁ ୧୬ ରନରରେ ହାରିଥିଲା ଚେନ୍ନାଇ

3,300
କନକ ବ୍ୟୁରୋ : ରାଜସ୍ଥାନ ରୟାଲସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ୧୬ ରନରେ ମ୍ୟାଚ୍ ହାରିବା ପରେ ଧୋନୀଙ୍କ ଉପରେ ବର୍ଷିଛନ୍ତି ଗୌତମ ଗମ୍ଭୀର । ସୁପରକିଙ୍ଗସର ପରାଜୟ ପରେ , ଏବେ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନଚିହ୍ନ । ୨୧୭ ରନର ବଡ ସ୍କୋରକୁ ପିଛା କରୁଥିବା ବେଳେ କାହିଁକି ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଲେ ଧୋନୀ ଗମ୍ଭୀର ପ୍ରଶ୍ନ କରିଛନ୍ତି । ଅତିକମରେ ବଡ ସ୍କୋରକୁ ପିଛା କରିବା ସମୟରେ ଦଳକୁ ସବୁବେଳେ ଆରମ୍ଭରୁ ଏକ ଭଲ ଆରମ୍ଭ ଆବଶ୍ୟକ । ଏହା କରିବାରେ ବିଫଳ ରହିଥିଲା ଚେନ୍ନାଇ । ଧୋନୀଙ୍କ ପୂର୍ବରୁ ସାମ୍ କୁରିଅନ୍. କେଦାର ଯାଦବ, ଋତୁରାଜ ଗାଏକ୍ୱାଡ୍ଙ୍କୁ ଉପରେ ପଠାଇଥିଲେ , ନିଜେ ଆସିଥିଲେ ସପ୍ତମ ସ୍ଥାନରେ ।
ଯାହାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଦଳରେ ଧୋନୀଙ୍କ ପରି ବ୍ୟାଟସ୍ ମ୍ୟାନ୍ ଥାଉ ଥାଉ ତାଙ୍କ ଆଗରୁ ସାମ୍ କୁରିଅନ୍ , ଅଂଶୁମାନ ଗାଏକ୍ୱାଡ ଓ କେଦାର ଯାଦବଙ୍କୁ ପଠାଇବା ମୂଲ୍ୟ ହୀନ ବୋଲି ସେ କହିଛନ୍ତି । ୨୧୭ ରନକୁ ପିଛା କରିବା ବେଳେ ଏପରି ନିଷ୍ପତି ନେବା ସମୟରେ ହିଁ ଖେଳ ସରି ଯାଇଥିଲା ବୋଲି ସେ କହିଛନ୍ତି । ଏହି ମ୍ୟାଚରେ କେବଳ ଡୁପ୍ଲେସିସ୍ ହିଁ ଏକାକୀ ଲଢିଥିଲେ ଏବଂ ଧୋନୀ ଶେଷ ଓଭରରେ ୩ଟି ବିଶାଳ ଛକା ମାରି ରନ୍ ରେଟ୍ ବଢାଇବା ବେଳକୁ ମ୍ୟାଚ୍ ହାତରୁ ଖସି ସାରିଥିଲା ବୋଲି ଗମ୍ଭୀର କହିଛନ୍ତି ।
ଏହା ସହିତ ଗମ୍ଭୀର ପ୍ରଶ୍ନ କରିଛନ୍ତି ଧୋନୀଙ୍କ ସ୍ଥାନରେ ଅନ୍ୟ କୌଣସି ଅଧିନାୟକ ଏପରି ବଡ ସ୍କୋର ପିଛା କରିବା ବେଳେ , ନିଜେ ସପ୍ତମ ସ୍ଥାନରେ ଆସିଥିଲେ ଚର୍ଚା ହୋଇଥାନ୍ତା । ଧୋନୀଙ୍କୁ ନେଇ ସମସ୍ତେ ଚୁପ୍ କଣପାଇଁ । ସାମ୍ କୁରିଅନଙ୍କୁ ଆଗୁଆ ବ୍ୟାଟିଂ ପାଇଁ ପଠାଇ ଧୋନୀ ପ୍ରମାଣ କରୁଛନ୍ତି, ସେ ତାଙ୍କ ଠାରୁ ଭଲ ବ୍ୟାଟସ୍ ମ୍ୟାନ୍ । ଧୋନୀ ଏହି ମ୍ୟାଚରେ ଚତୁର୍ଥ କିଂବା ପଂଚମ ସ୍ଥାନରେ ଆସିଥିଲେ ଫଳାଫଳ ଅଲଗା ହୋଇଥାନ୍ତା । ଧୋନୀ ଏହି ମ୍ୟାଚରେ ୧୭ଟି ବଲ୍ ଖେଳି ୨୯ ରନ୍ କରିଥିଲେ । ଶେଷ ଓଭରରେ ବିଜୟ ପାଇଁ ୩୮ ରନ୍ ଆବଶ୍ୟକ ଥିବା ବେଳେ ଧୋନୀ କେବଳ ୨୦ ରନ୍ ହିଁ ସ୍କୋର କରିପାରିଥିଲେ ।