କନକ ବ୍ୟୁରୋ : ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତୀର୍ଥାଟନରେ ଯାଇଥିବା ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । ରାଷ୍ଟ୍ରାୟତ ସାଉଦି ପ୍ରେସ୍ ଏଜେନ୍ସି ଗୁରୁବାର ଦିନ ରିପୋର୍ଟ କରିଛି ଯେ ଏହି ଦୁର୍ଘଟଣାରେ ଆଉ ଚାରି ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସାଉଦି ଆରବର ମଦିନା ପ୍ରଦେଶର ପୁଲିସ କଥାକୁ ଉଦ୍ଧାର କରି ଏଜେନ୍ସି କହିଛି ଯେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମକ୍କା ଓ ମଦିନା ସହରକୁ ସଂଯୋଗ କରୁଥିବା ସଡ଼କରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳ ହେଉଛି ପଶ୍ଚିମ ସାଉଦି ଆରବ ଅନ୍ତର୍ଗତ ମଦିନାର ଅଲ୍-ଅଖଲ୍ କେନ୍ଦ୍ର ।
ସବିଶେଷ ବିବରଣୀ ନ ଦେଇ ଏଜେନ୍ସି କହିଛି ଯେ ଏହି ରିଜର୍ଭେସନ୍ରେ ଯାଇଥିବା ଏହି ବସ୍ଟିରେ ଏସୀୟ ଓ ଆରବୀ ନାଗରିକ ଥିଲେ । ବସ୍ଟି ଗୋଟାଏ ଭାରୀ ଯାନ ସହ ଧକ୍କା ଖାଇଥିବା କଥା ମଦିନା ପୁଲିସ ମୁଖପାତ୍ର କହିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ କିଛି କହି ନାହାନ୍ତି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ କେହି ଭାରତୀୟ ଅଛନ୍ତି କି, ନାହିଁ ସାଉଦି ଆରବସ୍ଥିତ ଇଣ୍ଡିଆନ୍ ମିସନ୍ ଜାଣିବାକୁ ଉଦ୍ୟମ ଚଳାଇଛି ।