ଶ୍ମଶାନ ପାଲଟିଲା ବିବାହ ମଣ୍ଡପ । ଅଗ୍ନିକାଣ୍ଡରେ ଗଲା ଶହେରୁ ଅଧିକ ଜୀବନ

452

କନକ ବ୍ୟୁରୋ : ସେଲିବ୍ରେସନ୍ ସମୟରେ ମାଡି ଆସିଲା ମୃତ୍ୟୁ । ବିବାହ ମଣ୍ଡପରେ ନିଆଁ ଲାଗି ଜଳି ଯାଇଛନ୍ତି ଶହେରୁ ଅଧିକ ଲୋକ । ବର, କନ୍ୟାଙ୍କ ଜୀବନ ବି ଚାଲିଯାଇଛି । ଇରାକର ହାମଦାନିଆ ଜିଲ୍ଲାରେ ଥିବା ନିନଭେଦ ପ୍ରୋଭିନ୍ସ ସହରରେ ଘଟିଛି ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାର କାମ । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ । ଶ୍ମଶାନ ଭଳି ଲାଗୁଛି ବିବାହ ମଣ୍ଡପ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ବିବାହ ମଣ୍ଡପରୁ ମୃତଦେହ ବାହାର କରାଯାଉଛି । ଅଗ୍ନିକାଣ୍ଡରେ ୧୧୪ ଜଣଙ୍କ ଜୀବନ ଯାଇଛି । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଛଛି ।

ଏହି ଭୟଙ୍କର ଅଗ୍ନିକାଣ୍ଡରେ ଭର୍ତି ପାରିନି ବର କନ୍ୟାଙ୍କ ଜୀବନ । ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ସେଲିବ୍ରେସନ୍ ମୁଡ୍ରେ ଥିଲେ ବର କନ୍ୟା । ବିବାହ ମଣ୍ଡପ ଉପରୁ ପଡ଼ିଥିଲା ନିଆଁ ଖଣ୍ଡ । ନିମିଷକରେ ଚାଲିଯାଇଥିଲା ଅନେକ ଜୀବନ । ବାଣ ଫୁଟିବା ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିବାହ ଉତ୍ସବ ଥିବାରୁ ଅନେକ ଲୋକ ବିବାହ ମଣ୍ଡପରେ ଏକାଠି ହୋଇଥିଲେ । ଆଉ ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସଂପୂର୍ଣ୍ଣ ପୋଡି ଯାଇଥିଲା । ଲୋକେ ବାହାରକୁ ବାହାରି ପାରିନଥିଲେ । ପୋଡି ହେବାରୁ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।