ପ୍ରତି ୪ ଜଣରେ ଜଣେ ମହିଳା ଘରେ କରୁଛନ୍ତି ଗର୍ଭପାତ। ବିନା ପ୍ରସ୍ତୁତିରେ ଗର୍ଭଧାରଣ ମୁଖ୍ୟ କାରଣ।

425

କନକ ବ୍ୟୁରୋ : ଭାରତରେ ମହିଳା ସଶକ୍ତିକରଣକୁ ନେଇ ଅନେକ ଚର୍ଚ୍ଚା ହେଉଛି, ଆଲୋଚନା ବି ହେଉଛି । ତେବେ ବାସ୍ତବତା କିଛି ଅଲଗା । ତେବେ ନିକଟ ସାଂଘାତିକ ତଥ୍ୟ ବାହରକୁ ଆସିଛି ଯାହା ଆମର ଏହି କଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ୨୦୧୯-୨୦୨୧ରେ ସରକାରୀ ତଥ୍ୟକୁ ବିଶ୍ଳେଷଣ ପରେ ଜଣାପଡିଛି ଦେଶରେ ଆଜି ମଧ୍ୟ ପ୍ରତି ୪ଟି ଗର୍ଭପାତ ମାମଲାରୁ ଗୋଟିଏ ମାମଲା ଘରେ ହେଉଛି । ମହିଳା ବା ଝିଅମାନେ ଘରେ ନିଜେ ଗର୍ଭପାତ କରୁଛନ୍ତି ।

କେବଳ ଏତିକି ନୁହେଁ, ଅନୁସନ୍ଧାନରୁ ଜଣାପଡିଛି ଯେ ଅଧା ମହିଳାଙ୍କ କହିବା କଥା ଏହି ଗର୍ଭପାତର ମୁଖ୍ୟ କାରଣ ବିନା ପ୍ରସ୍ତୁତିରେ ଗର୍ଭଧାରଣ । ସରକାରୀ ତଥ୍ୟରୁ ଏହି ସବୁ ସାମ୍ନାକୁ ଆସିଛି । ମହିଳା ମାନେ ନିଜେ ଘରେ ଗର୍ଭପାତ କରୁଛନ୍ତି । ୨୦୧୫-୧୬ ବର୍ଷ ତୁଳନାରେ ଏହା ଗୋଟିଏ ପ୍ରତିଶତ ବଢିଛି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ-୫ର ରିପୋର୍ଟ ଅନୁସାରେ ପାଖ ପାଖି ଏକ ଚତୁର୍ଥାଂଶ ବା ୨୭ ପ୍ରତିଶତ ଗର୍ଭପାତ ମହିଳା ନିଜେ ଘରେ କରିଥାନ୍ତି । ଘରେ ଗର୍ଭପାତ କରିବାରେ ସହର ଅନୁପାତ ୨୨.୧ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୨୮.୭ ପ୍ରତିଶତ ରହିଛି । ଅର୍ଥାତ ଗାଁର ମହିଳା ମାନେ ସହରର ମହିଳାଙ୍କ ତୁଳନାରେ ଘରେ ଅଧିକ ଗର୍ଭପାତ କରୁଛନ୍ତି ।

ଗର୍ଭପାତ ପାଇଁ ମହିଳାଙ୍କ ପ୍ରଥମ ପସନ୍ଦ ଡାକ୍ତର ହୋଇଥାନ୍ତି । ୫୫ ପ୍ରତିଶତ ଗର୍ଭପାତ ପାଇଁ ମହିଳା ଡାକ୍ତରଙ୍କ ସହାୟତା ନେଇଥାନ୍ତି । ସେହିପରି ୨୭ ପ୍ରତିଶତ ମହିଳା ଘରେ ନିଜେ ଗର୍ଭପାତ କରିଥାନ୍ତି । ୪୮ ପ୍ରତିଶତ ମହିଳା ଗର୍ଭପାତର କାରଣ ବିନା ପ୍ରସ୍ତୁତିରେ ଗର୍ଭଧାରଣକୁ ଦାୟୀ କରିଛନ୍ତି । ଏହା ପରେ ତାଙ୍କ ଶରୀର ପୁଣି ଥରେ ଗର୍ଭଧାରଣ ପାଇଁ ସୁଯୋଗ ଦେଇନଥାଏ । କେବଳ ଏତିକି ନୁହେଁ ୧୦ ପ୍ରତିଶତ ମହିଳାଙ୍କ କହିବା କଥା ଗର୍ଭପା କରିବା ପରେ ପୁଣି ଗର୍ଭଧାରଣ କରିବା ବେଳେ ସେମାନଙ୍କ ପ୍ରଥମ ଶିଶୁର ବୟସ ବହୁତ କମ ହୋଇଥାଏ ।

ଏନଏଚଏଫଏସ-୫ର ଅନୁସାରେ, ଅନେକ ବେସରକାରୀ ଡାକ୍ତରଖାନାରେ କରାଯାଇଥାଏ । ପାଖପାଖି ୫୩ ପ୍ରତିଶତ କ୍ଷେତ୍ରରେ ଏହା ଦେଖାଯାଇଥାଏ । ଯେତେବେଳେ କି ସାର୍ବଜନୀନ କ୍ଷେତ୍ର ବା ସରକାରୀ ଡାକ୍ତରଖାନାରେ ଗର୍ଭପାତର ହାର ୨୦ ପ୍ରତିଶତ । ୨୦୧୫-୧୬ରେ ଏକଚତୁର୍ଥାଂଶରୁ ଅଧିକ ମହିଳା ଘରେ ଗର୍ଭପାତ କରାଉଥିଲେ ।

ବିଭିନ୍ନ ରାଜ୍ୟରେ ଗର୍ଭପାତର ସ୍ଥିତି କ’ଣ ?

ଭାରତରେ ସବୁଠାରୁ ଅଧିକ ଲୋକସଂଖ୍ୟା ରହିଛି ଉତ୍ତରପ୍ରଦେଶରେ । ଏହି ରାଜ୍ୟରେ ନିଜେ ଗର୍ଭପାତ କରୁଥିବା ହାର ୩୪ ପ୍ରତିଶତରୁ ଅଧିକ । ଏହା ପରେ ଡାକ୍ତର, ନର୍ସ, ଏଏନଏମ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ୩୦ ପ୍ରତିଶତ ଗର୍ଭପାତ କରାଇଥାନ୍ତି । ଗର୍ଭପାତ ପାଇଁ ଏଠାରେ ଦୁଇଟି କାରଣକୁ ଦାୟୀ କରାଯାଉଛି । ପ୍ରଥମଟି ବିନା ପ୍ରସ୍ତୁତିରେ ଗର୍ଭଧାରଣ । ଏହାର ହାର ୫୦ ପ୍ରତିଶତ ରହିଛି । ସେହିଭଳି ଗର୍ଭାବସ୍ଥାରେ ଅସୁବିଧା କାରଣରୁ ୧୪ ପ୍ରତିଶତ ଗର୍ଭପାତ କରିଥାନ୍ତି । ତେବେ ଉତ୍ତରପ୍ରଦେଶରେ ଦେଖାଯାଉଛି ୩୯ ପ୍ରତିଶତ ଗର୍ଭପାତ ଘରେ ହୋଇଥାଏ । ଏବଂ ସାର୍ବଜନୀନ କ୍ଷେତ୍ରରେ ୩୮ ପ୍ରତିଶତ ଗର୍ଭପାତ ହୋଇଥାଏ ।

ରାଜସ୍ଥାନରେ ସବୁଠାରୁ ଅଧିକ ଗର୍ଭପାତ
ସରକାରୀ ତଥ୍ୟରୁ ଜଣାପଡିଛି, ରାଜସ୍ଥାନରେ ସବୁଠାରୁ ଅଧିକ ଗର୍ଭପାତ ହେଉଛି । ଏଠାରେ ୩୮ ପ୍ରତିଶତ ଘରେ ଗର୍ଭପାତ କରାଉଛନ୍ତି । ଏହା ପରେ ଡାକ୍ତରଙ୍କ ପାଖକୁ ଯାଇ ଗର୍ଭପାତର କରାଇବାର ହାର ୩୬ ପ୍ରତିଶତ ରହିଛି । ଗର୍ଭପାତ କରିବା ପାଇଁ ରାଜସ୍ଥାନରେ ତିନୋଟି କାରଣ ରହିଛି । ୬୧ ପ୍ରତିଶତ ବିନା ପ୍ରସ୍ତୁତିରେ ଗର୍ଭଧାରଣ କରିଥିବାରୁ ଗର୍ଭପାତ କରାଉଛନ୍ତି । ଗର୍ଭାବସ୍ଥାରେ ଅସୁବିଧା ଏବଂ ଡାକ୍ତରଙ୍କ ଅନୁମତି ନମିଳିବାରୁ ୬ ପ୍ରତିଶତ ଗର୍ଭପାତ ହେଉଛି ।

ଦିଲ୍ଲୀରେ ଗର୍ଭପାତର ଦୁଇଟି କାରଣ
ରାଜଧାନୀ ଦିଲ୍ଲୀରେ ମଧ୍ୟ ଗର୍ଭପାତର ସ୍ଥିତି ସଙ୍ଗୀନ ରହିଛି । ଏଠାରେ ଦୁଇଟି କାରଣ ପାଇଁ ଗର୍ଭପାତ କରୁଛନ୍ତି ମହିଳା । ପ୍ରଥମଟି ବିନା ପ୍ରସ୍ତୁତିରେ ଗର୍ଭଧାରଣ । ପ୍ରାୟ ୭୪ ପ୍ରତିଶତ ବିନା ପ୍ରସ୍ତୁତିରେ ଗର୍ଭପାତ କରାଇଥାନ୍ତି । ଦ୍ୱିତୀୟଟି ହେଉଛି ଗର୍ଭାବସ୍ଥାରେ ଅସୁବିଧା ପାଇଁ ୫ ପ୍ରତିଶତ ଗର୍ଭପାତ କରାଉଛନ୍ତି । ୪୯ ପ୍ରତିଶତ ମହିଳା ବେସରକାରୀ ଡାକ୍ତରଖାନାରେ ଗର୍ଭପାତ କରୁଥିବା ବେଳେ ୧୬ ପ୍ରତିଶତ ସରକାରୀ ମେଡିକାଲରେ ଗର୍ଭପାତ କରୁଛନ୍ତି । ଏଠାରେ ଅଧିକ ସଂଖ୍ୟାରେ ଡାକ୍ତର ଗର୍ଭପାତ କରାଉଛନ୍ତି ।

ତାମିଲନାଡୁରେ ୮୦ ପ୍ରତିଶତ ମହିଳା ଗର୍ଭପାତ ପାଇଁ ଡାକ୍ତରଙ୍କ ସହାୟତା ନେଇଥାନ୍ତି । ଏଠାରେ ୬୫ ପ୍ରତିଶତ ଗର୍ଭପାତ ପାଇଁ ବେସରକାରୀ ଡାକ୍ତରଖାନାକୁ ପସନ୍ଦ କରିଥାନ୍ତି । ସେହିଭଳି ୨୬ ପ୍ରତିଶତ ସରକାରୀ ଡାକ୍ତରଖାନାକୁ ପସନ୍ଦ କରିଥାନ୍ତି ।

ଅସୁରକ୍ଷିତ ଗର୍ଭପାତ ମାତୃ ମୃତ୍ୟୁହାରର ବଡକାରଣ
ଅସୁରକ୍ଷିତ ଗର୍ଭପାତ ମାତୃମୃତ୍ୟୁର ସବୁଠାରୁ ବଡ କାରଣ । ତେବେ ଏହାକୁ ରୋକାଯାଇପାରିବ । ୧୯୭୧ ମସିହାରେ ମେଡିକାଲ ଟ୍ରାନସମିଶନ ଅଫ ପ୍ରେଗନେନ୍ସି (ଏମଟିପି) ଆରମ୍ଭ କରାଯାଇଥିଲା । ତେବେ ଦୂରଦୂରାନ୍ତରେ ଥିବା ଲୋକଙ୍କ ପାଖରେ ଏହି ସୁବିଧା ବର୍ତ୍ତମାନ ମଧ୍ୟ ପହଞ୍ଚିପାରିନାହିଁ । ମାତୃ ମୃତ୍ୟୁ ଅନୁପାତରେ ଅସୁରକ୍ଷିତ ଗର୍ଭପାତର ହାର ୮ ପ୍ରତିଶତ । ଯେଉଁମାନେ ସୁରକ୍ଷିତ ଗର୍ଭପାତ ପ୍ରଣାଳୀ ଆପଣେଇ ନଥାନ୍ତି ଭବିଷ୍ୟତରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ । ତେବେ ଦେଶରେ ସୁରକ୍ଷିତ ଗର୍ଭପାତକୁ ନେଇ ଅନେକ ନୀତି ତିଆରି ହୋଇଛି । କେବଳ ଏତିକି ନୁହେଁ ଗର୍ଭପାତ ଆଇନତଃ ସଠିକ୍ ଥିବା ବେଳେ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ । ଏହା ବାବଦରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବରୁ ମହିଳା ଘରେ ନିଜକୁ ଅସୁବିଧାରେ ପକାଇ ଗର୍ଭପାତ କରୁଛନ୍ତି ।