ବୌଦ୍ଧରେ ଧିମେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ । ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ ଆଗେଇ ପାରୁନି ରେଳ ପ୍ରକଳ୍ପ, ଜିଲ୍ଲାରେ ତେଜୁଛି ଅସନ୍ତୋଷ 

330

କନକ ବ୍ୟୁରୋ : ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଜଳୁଛି ଅସନ୍ତୋଷର ନିଆଁ । ବାନ୍ଧୁଛି ଆନ୍ଦୋଳନର ଦାନା । ସେପଟେ ୨୦୦୬ ମସିହାରେ ହୋଇଥିବା ଜମି ଅଧିଗ୍ରହଣର ମୂଲ୍ୟାଙ୍କନକୁ ବିରୋଧ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା । ବୌଦ୍ଧରେ ଆଗେଇ ପାରୁନି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ । ଅର୍ଥ ଅଭାବରୁ ହୋଇପାରୁନି ଜମି ଅଧିଗ୍ରହଣ , ଜଳୁଛି ଅସନ୍ତୋଷର ବହ୍ନି ଆଉ ଦାନା ବାନ୍ଧୁଛି ଆନ୍ଦୋଳନ ।

ଖୋର୍ଦ୍ଧା-ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାରମ୍ବାର ଦାବି ପରେ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାମ ଜାରି ରହିଛି । ବର୍ତମାନ ଖୋର୍ଦ୍ଧାରୁ ନୟାଗଡ ଦଶପଲ୍ଲା ଏବଂ ବଲାଙ୍ଗୀରରୁ ସୁବର୍ଣ୍ଣପୁର ଯାଏଁ ରେଳ ଗଡିସାରିଛି । ମାତ୍ର ଦୁର୍ଭାଗ୍ୟର କଥା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ବୌଦ୍ଧରେ ଏଯାଏଁ ଜମି ଅଧିଗ୍ରହଣ ହୋଇପାରିନାହିଁ । ଭୁଅର୍ଜନ ମହାମଣ୍ଡଳ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ସାଙ୍ଗକୁ ନୂଆ ଭୁ-ଅର୍ଜନ ଅଧିକାରୀଙ୍କୁ ଆର୍ଥିକ କ୍ଷମତା ଦିଆନଯିବା ଏହାର ପ୍ରମୁଖ କାରଣ ବୋଲି ଅଭିଯୋଗ କରିଛି କ୍ରିୟାନୁଷ୍ଠାନ କମିଟି । ବୌଦ୍ଧରେ ରେଳପଥ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନର ଆନ୍ତରିକତା ନଥିବା ଦର୍ଶାଇ ଜିଲ୍ଲାରେ ଅସନ୍ତୋଷର ବହ୍ନି ଜଳୁଛି ।

ତେବେ ନଜର ପକାନ୍ତୁ ଖୋର୍ଦ୍ଧ-ବଲାଙ୍ଗୀର ରେଳପଥ ପ୍ରକଳ୍ପ ସଂପର୍କିତ କିଛି ତଥ୍ୟ ଉପରେ ।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ସମର୍କରେ କିଛି ତଥ୍ୟ…
୧. ରେଳପଥ ପାଇଁ କ୍ଷେତିଗ୍ରସ୍ତ ହେବ ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଏବଂ ବଲାଙ୍ଗୀର ଜିଲ୍ଲାର ମୋଟ ୩୦୧ଟି ଗାଁ ।
୨. ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୧୨ଟି ଗ୍ରାମବାସୀ ବିସ୍ଥାପିତ ହେବେ ।
୩. ରେଳପଥ ପାଇଁ ବୌଦ୍ଧରେ ମାତ୍ର ୧୪ଟି ଗାଁରେ ଜମି ଅଧିଗ୍ରହଣ ହୋଇଛି ।
୪. ଆହୁର ୯୮ଟି ଗାଁରେ ଜମି ଅଧିଗ୍ରହଣ ହୋଇନାହିଁ ।
୫. ଭାରତ ସରକାରଙ୍କ ନୂତନ ଜମି ଅଧିଗ୍ରହଣ ଆଇନ୍ ୨୦୧୩ ଏବଂ ଓଡିଶା ସରକାରଙ୍କ ସଂଶୋଧିତ ଜମି ଅଧିଗ୍ରହଣ ଆଇନ୍ ୨୦୧୬ ଅନୁଯାଇ ଜମି ଅଧିଗ୍ରହଣ କରାଯାଉଛି ।
୬. ବୌଦ୍ଧ ଜିଲ୍ଲାରେ ୨୨୭୦ ଏକର ଚାଷ ଜମି କ୍ଷତିଗ୍ରସ୍ତ ହେବ । ୧୦୦୦ରୁ ଅଧିକ ପରିବାର ବିସ୍ଥାପିତ ହେବେ ।

କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉଚିତ୍ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ୨୦୦୬ ମସିହାର ଦରରେ ମୁଲ୍ୟାଙ୍କନ କରି କ୍ଷତିପୂରଣ ଦିଆଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି କ୍ଷତିଗ୍ରସ୍ତ ପ୍ରଜା । ସେମାନଙ୍କୁ ଆଜିର ବଜାର ଦରରେ କ୍ଷତିପୂରଣ ଦେବା ସହ ପରିବାର ଜଣଙ୍କୁ ସରକାରୀ ଚାକିରୀ ଦେବାକୁ ଦାବୀ ହୋଇଛି । ନଚେତ୍ ୧ ଇଂଚ ଜାଗା ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛି କ୍ଷତିଗ୍ରସ୍ତ ମଂଚ । ସେପଟେ ଜିଲ୍ଲାପାଳ ଏହାକୁ ସ୍ୱୀକାର କରିବା ସହିତ ଯଥାଶୀଘ୍ର ପ୍ରକଳ୍ପକୁ ତ୍ୱରାନିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।  ତେବେ ଅନିଶ୍ଚିତତା ଦେଇ ଗତିକରୁଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ପାଇଁ ଜମିଅଧିଗ୍ରହଣ କାର୍ଯ୍ୟ କେବେ ସରିବ ଆଉ କେବେ ଆରମ୍ଭ ହେବ ପ୍ରକଳ୍ପ କାମ ତାହା ଆଗାମୀ ଦିନରେ ଜଣାପଡିବ ।