କନକ ବ୍ୟୁରୋ: ୩ ଫୁଟ୍ ୪ ଇଞ୍ଚରୁ ୱାର୍ଲଡ ରେକର୍ଡ । ବଡି ବିଲ୍ଡିରେ ବିଶ୍ୱକୁ ଚମକାଇଦେଲେ ବାମନ । ଦେଶ ସହ ସାରା ଦୁନିଆ ଦେଖିଲା ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଦମ । ଗିନିଜ ବୁକ ଅଫ୍ ରେକର୍ଡରେ ଲେଖାହେଲା ଭାରତୀୟ ଯୁବକଙ୍କ ନାଁ । ଆଉ ବଡି ବିଲ୍ଡିଂ କରି ସମସ୍ତଙ୍କ ମନ ଜିଣି ନେଇଛନ୍ତି ମହାରାଷ୍ଟ୍ରର ପ୍ରତୀକ ବିଥଲ ମୋହିତେ ।
ଯଦି ଆପଣ କୌଣସି କାମକୁ ନିଷ୍ଠା ଓ ସଙ୍କଳ୍ପର ସହ କରୁଛନ୍ତି ତେବେ ଯେତେ ବାଧାବିଘ୍ନ ଆସୁନା କାହିଁକି ଆପଣଙ୍କୁ ଦିନେ ନା ଦିନେ ସଫଳତାର ସ୍ୱାଦ ଚାଖିବାକୁ ଭାଗ୍ୟ ସୁବର୍ଣ୍ଣ ସୁଯୋଗଟେ ଦେବ । ହଁ, ସଫଳତା ପାଇବା ପାଇଁ ହୁଏତ ଟିକେ ସମୟ ଲାଗିପାରେ କିମ୍ବା ସଙ୍ଘର୍ଷ କରିବାକୁ ପଡିପାରେ କିନ୍ତୁ ସଫଳତା ଆପଣଙ୍କୁ ଅପେକ୍ଷା କରିଥିବ । ଏମିତି ଜଣେ ବ୍ୟକ୍ତିତ୍ୱ ଓ ସଫଳତାର ହକଦାର ହେଉଛନ୍ତି ୨୬ ବର୍ଷୀୟ ପ୍ରତୀକ । ହାଇଟ୍ ସିନା କମ ହେଲେ ସେ ନିଜର ସେହି କମ୍ ଉଚ୍ଚତାକୁ ଅସ୍ତ୍ର କରି, ହତିଆର ବନାଇ ଆଜି ସେ ବନିପାରିଛନ୍ତି ବିଶ୍ୱର ସବୁଠୁ ବାମନ ବଡି ବିଲ୍ଡର ।
ଜନ୍ମରୁ ପ୍ରତୀକଙ୍କ ଉଚ୍ଚତା କମ । ଡାକ୍ତର ପରିବାର ଲୋକଙ୍କୁ କହିଥିଲେ ଯେ, ତାଙ୍କ ପିଲା ଭଲରେ ଚାଲିବୁଲି ପାରିବନି କି ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଚଳପ୍ରଚଳ କରିପାରିବନି । ଏମିତିକି ହାତଗୋଡ ହଲାଇବା ବି ତାଙ୍କ ପକ୍ଷେ ଅସମ୍ଭବ ହେବ । ଡାକ୍ତରଙ୍କ ଠାରୁ ଏମିତି ସବୁ କଥା ଶୁଣିବା ପରେ ଚିନ୍ତାରେ ଥିଲେ ବାପା ମାଆ । ହେଲେ କିଛି ଦିନ ପରେ ନିଜ ଗୋଡରେ ନିଜେ ଛିଡା ହେବାକୁ ଆରମ୍ଭ କଲେ ପ୍ରତୀକ । ନିଜ ଉଚ୍ଚତାକୁ ନେଇ ଯେଉଁ ଲୋକମାନେ ତାଙ୍କୁ ଟାହି ଟାପରା କରୁଥିଲେ, ନିଚ୍ଚ ଆଖିରେ ଦେଖୁଥିଲେ ସେ ସମସ୍ତ କଥାରେ ଭାଙ୍ଗି ନପଡି, ହାରି ନଯାଇ, ଲୋକଙ୍କ ଉପହାସକୁ ଅସ୍ତ୍ର କରି କସରତ ଆରମ୍ଭ କରିଥିଲେ । ନିଜ ନାଁରେ ଏକ ରେକର୍ଡ ଯୋଡିବାକୁ ସ୍ୱପ୍ନ ଦେଖିଥିଲେ । ୧୬ ବର୍ଷ ବୟସରୁ ଅର୍ଥାତ ୨୦୧୨ରୁ ଜିମରେ ଯୋଗଦେଇ ଶରୀର ଗଠନରେ ଲାଗିପଡିଥିଲେ ପ୍ରତୀକ ।
ଲୋକେ ଯେତେବେଳେ ପ୍ରତୀକଙ୍କୁ କିଛି କରିପାରିବନି ବୋଲି କହୁଥିଲେ ସେତେବେଳେ ମନରେ ଏକ ଜିଦ୍ ନେଇ କିଛି କରି ଦେଖାଇବାର ସଙ୍କଳ୍ପ ନେଇଥିଲେ । ଆଉ ତାପରେ ଆରମ୍ଭ କରିଥିଲେ ୱାର୍କ ଆଉଟ୍ । ବଡି ବିଲ୍ଡିଂରେ ବିଶ୍ୱ ରେକର୍ଡ କରିବାକୁ ପରିଶ୍ରମ କରିଥିଲେ । ସକାଳେ ୩୦ ମିନିଟ୍ ଦୌଡୁଥିବା ପ୍ରତୀକ ସନ୍ଧ୍ୟାରେ ୨ ଘଣ୍ଟା ୱାର୍କ ଆଉଟ୍ କରନ୍ତି । କେଉଁଦିନ ଚେଷ୍ଟ ଟ୍ରାଇସେପ୍ ତ ଆଉ କେଉଁ ଦିନ ବ୍ୟାକ୍, ବାଇସେପ୍, ସୋଲଡର ଭଳି ୱାର୍କ ଆଉଟ୍ କରି ଦୀର୍ଘ ଦଶବର୍ଷ ପରିଶ୍ରମ ପରେ ସେ ସଫଳତା ହାସଲ କରିଛନ୍ତି ।
ତେବେ ପ୍ରଥମେ ପ୍ରଥରେ ପରିବାର ଲୋକ ପ୍ରତୀକଙ୍କ ବଡି ବିଲ୍ଡିଂ ସ୍ୱପ୍ନକୁ ମନ କରୁଥିବା ବେଳେ ଏବେ ତାଙ୍କୁ ସହଯୋଗ କରୁଛନ୍ତି । ସୁସ୍ଥ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦେଉଥିବା ପ୍ରତୀକ ଡାଏଟ୍ ଫୁଡ ଖାଇବାକୁ ପସନ୍ଦ କରନ୍ତି । ତେବେ ଜିଲ୍ଲା, ରାଜ୍ୟ, ଜାତୀୟ ସ୍ତରରେ ପ୍ରାୟ ୪୨ଟି ପ୍ରତିଯୋଗୀତାରେ ଭାଗ ନେଇଥିବା ପ୍ରତୀକ ନିଜ ନିଷ୍ଠା ପାଇଁ ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇପାରିଛନ୍ତି । ଆଉ ଅସମ୍ଭକୁ ସମ୍ଭବ କରିପାରିଛନ୍ତି ।