ଲକ୍ଷଣ ବିହୀନ କରୋନା ବଢାଉଛି ବିପଦ । ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ, ଅଜାଣତରେ ସଂକ୍ରମଣ ବଢାଉଛନ୍ତି ଲକ୍ଷଣ ବିହୀନ କରୋନା ଆକ୍ରାନ୍ତ !

1,387

ଗୋଟିଏ ପଟେ ପୂରା ବିଶ୍ୱରେ କରୋନା ଦ୍ରୁତ ଗତିରେ ବଢୁଥିବା ବେଳେ ଅନ୍ୟପଟେ ଲକ୍ଷଣ ବିହୀନ ଆକ୍ରାନ୍ତ ଏହି ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି । ମେଡିକାଲ ଜର୍ଣ୍ଣାଲ ଆନାଲ୍ସ ଅଫ୍ ଇଣ୍ଟରନାଲ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟରେ ଲକ୍ଷଣ ବିହୀନ ଆକ୍ରାନ୍ତ ଅଜାଣତରେ ଦ୍ରୁତ ଗତିରେ ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଥାନ୍ତି ବୋଲି ସଂକେତ ମିଳିଛି । ଏପରିକି କରୋନାରେ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ରୁ ୪୫ ଆକ୍ରାନ୍ତ ଲକ୍ଷଣ ବିହୀନ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁଥିପାଇଁ ଏହି ଭାଇରସ ଚୁପଚାପ ପୂର୍ବପେକ୍ଷା ଅଧିକ ଲୋକଙ୍କୁ ସଂକ୍ରମିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଭଳି ଏକ ଗବେଷଣା ଆମେରିକାରେ କରାଯାଇଛି ।

ରିସର୍ଚ୍ଚରେ କୁହାଯାଇଛି ଯେ, ଲକ୍ଷଣ ବିହୀନ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଶରୀରରେ ୧୪ ଦିନରୁ ଅଧିକ ସମୟ ଧରି ଏହି ଭାଇରସ ରହିପାରେ । ଏପରିକି ଲକ୍ଷଣବିହୀନ ଆକ୍ରାନ୍ତଙ୍କ ଶରୀରରେ ମଧ୍ୟ ପରବର୍ତ୍ତୀ ସମୟରେ କରୋନା ଲକ୍ଷଣ ଦେଖିବାକୁ ମିଳିପାରେ । ଇଟାଲୀ ଓ ଜାପାନରେ ଏହି ସମୂହର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନ୍ୟୁର୍ୟକ ଓ ଗ୍ରୀକରେ ୧୦ ପ୍ରତିଶତ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ଶରୀରରେ ପରବର୍ତ୍ତୀ ସମୟରେ କରୋନାର ପୂରା ଲକ୍ଷଣ ଦେଖିବାକୁ ମିଳିଥିଲା ।

ତେବେ ଏଭଳି ରିପୋର୍ଟ ଭାରତ ପାଇଁ ଚିନ୍ତା ବଢାଇପାରେ । କାରଣ ଆଇସିଏମଆର ଗାଇଡଲାଇନ ଅନୁଯାୟୀ, କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କର କରୋନା ଟେଷ୍ଟ କରାଯାଇପାରିବ । ତେବେ ୧୮ ମେ’ରେ ଆସିଥିବା ନୂଆ ଗାଇଡଲାଇନ ଅନୁଯାୟୀ,  ହାଇ ରିସ୍କରେ ଥିବା ଲକ୍ଷଣବିହୀନ ବ୍ୟକ୍ତି ଓ କରୋନା ଆକ୍ରାନ୍ତଙ୍କ ସିଧାସଳଖ ସମ୍ପର୍କରେ ଆସିଥିବା ଲୋକଙ୍କର ଟେଷ୍ଟ କରାଯିବା ଉଚିତ୍ ।  ଏସବୁ ଭିତରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହାକୁ ଆଧାର କରି ଆଇସିଏମଆର ନିଜର ଟେଷ୍ଟିଂକୁ ଆହୁରି ବଢାଇବା ଉଚିତ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ଏହାପୂର୍ବରୁ ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଥିଲା ଯେ, ଲକ୍ଷଣବିହୀନ ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣର ସେତେଟା ଭୟ ନଥାଏ । ଏଭଳି ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମାତ୍ର ୬ ପ୍ରତିଶତ ରହିଥାଏ । ଏଭଳି ବୟାନକୁ ନେଇ ବିଭିନ୍ନ ଆଡୁ ପ୍ରତିକ୍ରିୟା ଆସିବା ପରେ ନିଜ ବୟାନକୁ ଫେରାଇ ନେଇଥିଲା ଡବ୍ଲ୍ୟୁଏଚଓ । ତେବେ ଆମେରିକାର ଏକ ଗବେଷଣା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ, ଲକ୍ଷଣବିହୀନ ଥିବା ୪୦ ପ୍ରତିଶତ ଆକ୍ରାନ୍ତ ଅସୁସ୍ଥ ଅନୁଭବ କରିବା ପୂର୍ବରୁ ହିଁ ଶରୀରରେ ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥାଏ । ଅଥାର୍ତ ସଂକ୍ରମଣ ବ୍ୟାପିବା ପରେ ଶରୀରରେ କରୋନା ଲକ୍ଷଣ ବାବଦରେ ଜଣାପଡୁଛି ।

ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଠାରେ ଲକ୍ଷଣ ଦେଖିବାକୁ ମିଳୁନାହିଁ ।  ଲକ୍ଷଣ ଜଣାପଡୁଥିବା ବାକି ୨୦ ପ୍ରତିଶତ ଆକ୍ରାନ୍ତଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କୁ ଭେଣ୍ଟିଲେଟର ତଥା ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡୁଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇ ଫେରୁଥିବାର କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।