କନକ ବ୍ୟୁରୋ : ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ତୃତୀୟ ପ୍ରାର୍ଥୀ କିଏ ହେବେ? କେଉଁ ଦଳରୁ ପ୍ରାର୍ଥୀ ହେବେ? ସେ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଥିଲା । କିନ୍ତୁ ଶେଷରେ କେନ୍ଦ୍ର ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ, ବିଜେପି ତାର ରାଜ୍ୟସଭା ପ୍ରାର୍ଥୀ ବୋଲି ଘୋଷଣା କରିଛି । ଏନେଇ ବିଜେପି ପକ୍ଷରୁ ପ୍ରେସରିଲିଜ୍ ଜାରି କରି ସୂଚନା ଦିଆଯାଇଛି । ଅଶ୍ୱିନୀଙ୍କୁ ନାଁ ଘୋଷଣା ପରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ୨୦୧୯ ଭଳି ସମର୍ଥନ କରିଛି ବିଜେଡି । ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରେସରିଲିଜ୍ ଜାରି କରି ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦିଆଯାଇଛି ବୋଲି କହିଛନ୍ତି ବିଜେଡି ସାଂସଦ ।

ଏଥିସହ ଅଶ୍ୱିନୀଙ୍କ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ ଲୋଡିଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଦୀପଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି । ସେହିପରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମର୍ଥନ ମଧ୍ୟ ବିଜେପି ଲୋଡିଛି ।

ତେବେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ, ବିଜେଡି ସମର୍ଥନ ଦେବା ପରେ, ଏହା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।