ଭାରତ ପାଇଁ ଭଲ ଖବର ଆଣିଲା ଅକ୍ସଫୋର୍ଡ ଟିକା: ୩ୟ ପରୀକ୍ଷଣର ତଥ୍ୟ ରଖିଲା ଆଷ୍ଟ୍ରାଜେନେକା; କହିଲା, ୯୦% ପର୍ଯ୍ୟନ୍ତ ହୋଇପାରେ ଫଳପ୍ରଦ

Advertisment
ଭାରତ ପାଇଁ ଭଲ ଖବର ଆଣିଲା ଅକ୍ସଫୋର୍ଡ ଟିକା: ୩ୟ ପରୀକ୍ଷଣର ତଥ୍ୟ ରଖିଲା ଆଷ୍ଟ୍ରାଜେନେକା; କହିଲା, ୯୦% ପର୍ଯ୍ୟନ୍ତ ହୋଇପାରେ ଫଳପ୍ରଦ

କନକ ବ୍ୟୁରୋ: କୋଭିଡ୍ ଟିକାକୁ ସାରା ବିଶ୍ୱ ଚାହିଁ ରହିଥିବାବେଳେ ଭାରତ ପାଇଁ ଆସିଛି ଭଲ ଖବର । ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବାବେଳେ ଏହା କରୋନା ରୋକିବାରେ ୯୦ପ୍ରତିଶତ ସଫଳ ହୋଇଥିବା ଦାବି କରିଛନ୍ତି ଟିକା ନିର୍ମାତା କମ୍ପାନୀ । ଏଥିସହ ଏହି ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକା ପ୍ରସ୍ତୁତିରେ ଭାରତର ସିରମ ଇନଷ୍ଟିଚ୍ୟୁଟ ବଡ ଭାଗିଦାରୀ ଥିବାରୁ ଏହା ଭାରତ ପାଇଁ ଅଧିକ ଲାଭ ଦାୟକ ହେବ ବୋଲି କୁହାଯାଉଛି ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଘୋଷଣା କରିଛି, ଯେ ସେମାନେ ବିକଶିତ କରୁଥିବା ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇପାରେ । କେବଳ ସେତିକି ନୁହେଁ, ଏହି ଟିକାର କୌଣସି ବଡ଼ ଧରଣର ପାଶ୍ୱର୍-ପ୍ରତିକ୍ରିୟା ପରିଲଖିତ ହୋଇନାହିଁ ବୋଲି କୁହାଯାଇଛି । ୨୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ପରୀକ୍ଷଣ ହେବା ପରେ ଏପରି ସନ୍ତୋଷଜନକ ଫଳାଫଳ ସାମନାକୁ ଆସିଛି ।

ପ୍ରଥମ ପଦ୍ଧତି ପରୀକ୍ଷଣରେ

ମାସକ ମଧ୍ୟରେ ଦୁଇ ଥରରେ ଦିଆଯାଇଥିଲା ଦୁଇଟି ସଂପୂର୍ଣ୍ଣ ଡୋଜ୍

ଟିକାର ସଫଳତା ହାର ରହିଛି ୬୨ ପ୍ରତିଶତ

ତେବେ ଦ୍ୱିତୀୟ ପଦ୍ଧତି ପରୀକ୍ଷଣରେ

ପ୍ରଥମେ ଦିଆଯାଇଥିଲା ଟିକାର ଅଧା ଡୋଜ୍

ମାସକ ମଧ୍ୟରେ ଦ୍ୱିତୀୟ ଥର ଦିଆଯାଇଥିଲା ଟିକାର ସଂପୂର୍ଣ୍ଣ ଡୋଜ୍

୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହୋଇଥିଲା ଏହି ପଦ୍ଧତି

ଦୁଇଟି ଯାକ ପଦ୍ଧତିକୁ ମିଶାଇଲେ ଏହି ଟିକା ହାରାହାରି ୭୦ ପ୍ରତିଶତ ଫଳପ୍ରଦ ହେବ ବୋଲି କୁହାଯାଇଛି । ଯଦିଓ ଫାଇଜର ଓ ମଡର୍ଣ୍ଣା, ସେମାନଙ୍କ ଟିକା ଅଧିକ ଫଳପ୍ରଦ ବୋଲି ଦାବି କରିଛନ୍ତି, ତେବେ ଟିକା ୭୦ ପ୍ରତିଶତ ଫଳପ୍ରଦ ହେଲେ, ଏହା କରୋନା ସଂକ୍ରମଣକୁ ରୋକିବାରେ ସମର୍ଥ ହେବ ବୋଲି କହିଛନ୍ତି ବିଶେଷଜ୍ଞ । ଅକ୍ସଫୋର୍ଡ ଟିକାର ସଫଳତା, ଭାରତ ପାଇଁ ସବୁଠୁ ଅଧିକ ଆଶ୍ୱସ୍ତିକର ଖବର । କାରଣ କୋଭିସିଲ୍ଡ ନାଁରେ ଏହି ଟିକାକୁ ବିକଶିତ କରୁଛି ଭାରତର ସିରମ୍ ଇନଷ୍ଟିଚ୍ୟୁଟ୍ । ଟିକାର ସଫଳତା ନେଇ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଘୋଷଣା କରିବା ପରେ ଟ୍ୱିଟ୍ କରି ଖୁସି ଜାହିର କରିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ । ନଜର ପକାନ୍ତୁ, ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଅକ୍ସଫୋର୍ଡ ଟିକା?

- ଟିକା ତିଆରିରେ ଭାରତର ସିରମ୍ ଇନଷ୍ଟିଚ୍ୟୁଟ ବଡ଼ ଭାଗିଦାରୀ
- ୫ଶହରୁ ୬ଶହ ଟଙ୍କା ମଧ୍ୟରେ ଉପଲବ୍ଧ ହୋଇପାରେ ଟିକା
- ଜାନୁଆରି ମଧ୍ୟରେ ଭାରତକୁ ମିଳିପାରେ ୧୦ କୋଟି ଡୋଜ୍
- ଫାଇଜର ଭଳି ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାର ଆବଶ୍ୟକ ନାହିଁ

ଫେବ୍ରୁଆରି ମାସରେ ଭାରତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଓ ଏପ୍ରିଲ ମାସରେ ବଜାରରେ ଏହି ଟିକା ଉପଲବ୍ଧ ହୋଇପାରିବ ବୋଲି ନିକଟରେ କହିଥିଲା ସିରମ୍ ଇନଷ୍ଟିଚ୍ୟୁଟ । ତେଣୁ ଅକ୍ସଫୋର୍ଡ ଟିକାର ସଫଳତା ଭାରତରେ ନୂଆ ଆଶା ସଂଚାର କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe